ଗଞ୍ଜାମରେ ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା । ବହୁ ସଂଖ୍ୟାରେ ବାଇକ୍ ସିଜ୍ କଲା ପ୍ରଶାସନ : ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ଚାଲିଚାଲି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ

1,077

କନକ ବ୍ୟୁରୋ : ଆଜି ଗଞ୍ଜାମ ସଟଡାଉନ୍ । ମଧ୍ୟାହ୍ନ ୧୨ଟାରୁ କାଲି ସକାଳ ୭ଟା ପର୍ଯ୍ୟନ୍ତ ସହରରେ ସଟଡାଉନ ହେବ । ଏହି ସମୟରେ ଅଫିସ, ଦୋକାନ, ବଜାର, ହାଟ ସବୁ ବନ୍ଦ ରହିବ । ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଛାଡିଦେଲେ, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକୁ ବି ବନ୍ଦ ରହିବ । ତେବେ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି କରାଯିବା ପାଇଁ ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ, ସରକାରୀ ଓ ଘରୋଇ ଡାକ୍ତରଖାନାର ଓପିଡି ବନ୍ଦ ରହିବ । କରୋନା ଚିକିତ୍ସା ପାଇଁ ସବୁ ଡାକ୍ତରଖାନା ସଜାଗ ରହିବ, କେବଳ ଜରୁରୀ ଚିକିତ୍ସା ଚାଲିବ ।

ସବୁଠୁ ବଡ଼ କଥା ହେଉଛି, ଏହି ନିୟମକୁ ଯେଉଁମାନେ ଉଲଂଘନ କରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଂଟିନ୍କୁ ପଠାଇ ଦିଆଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରକିି ବରିଷ୍ଠ ନାଗରିକ ମାନେ ଘରୁ ବାହାରିଲେ ସେମାନଙ୍କୁ ମଧ୍ୟ କ୍ୱାରେଂଟିନ୍ କରି ରଖାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ । ଅନ୍ୟପଟେ ଆଜି ଗଂଜାମରେ ସକାଳୁ ସକାଳୁ ବହୁ ସଂଖ୍ୟାରେ ବାଇକ୍ ସିଜ୍ କରିଛି ଗଂଜାମ ପୋଲିସ୍ । ମନା କରିବା ସତ୍ୱେ ବାଇକ୍ ନେଇ ବଜାରକୁ ଆସିବାରୁ ଗାଡି ସିଜ୍ କରିଛି ପୋଲିସ୍ ।

ଗଞ୍ଜାମରେ ଲାଗୁ ହୋଇଥିବା ଲକଡାଉନକୁ ଆଜି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଥିଲା । ତେବେ ଏହି ସମୟରେ ଲୋକେ ପାଦରେ ଚାଲି ଚାଲି ଅତ୍ୟାବଶ୍ୟକ ସମାଗ୍ରୀ କିଣିବାକୁ କୁହାଯାଇଥିଲା । କୌଣସି ପରିସ୍ଥିତିରେ ମୋଟର ସାଇକେଲ ଚାଲିବାକୁ ଦିଆଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ହେଲେ କିଛି ଲୋକ ବାଇକ ନେଇ ଆସିବା ସେମାନଙ୍କ ପାଇଁ ମହଙ୍ଗା ପଡିଛି ।