କିଏ ଖସିଲା, କିଏ ଫସିଲା ? ନିଜ ମୁଣ୍ଡରୁ ଦୋଷ କାଢିନେଲା ଶକ୍ତି ବିଭାଗ, ବସରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲେ ବସ ଡ୍ରାଇଭର ।

9,576

କନକ ବ୍ୟୁରୋ : ‘କୁଜି ଅସରପା ଉପରେ କାଣୀ ବିରାଡ଼ିର ରାଜ୍’। ବ୍ରହ୍ମପୁରର ମେନ୍ଦ୍ରାଜପୁରଠାରେ ଘଟିଥିବା ଲୋମଟାଙ୍କୁରା ବସ୍ ଦୁର୍ଘଟଣାରେ ପ୍ରଶାସନର ଆଭିମୁଖ୍ୟ, ଏଭଳି ଏକ ଉକ୍ତିକୁ ଯଥାର୍ଥ ପ୍ରମାଣିତ କରୁଛି । ଆଉ ଏହି ଘଟଣାରେ କେବଳ ବସର ଡ୍ରାଇଭର ଗିରଫ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ଏକ ଘରୋଇ ବସ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି, ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ଆଜି ବସର ଡ୍ରାଇଭରକୁ ଗିରଫ କରିଛି ଗୋଳନ୍ଥରା ପୋଲିସ । ରବିବାର ମଧ୍ୟାହ୍ନରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା, ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା । କାହିଁକି ଏମିତି ଏକ ଅଘଟଣ ଘଟିଗଲା, ଆଉ ଏଥିପାଇଁ କିଏ ଦାୟୀ ? ସେନେଇ ଚାଲିଥିଲା ଚର୍ଚ୍ଚା ଆଲୋଚନା । ଆଉ ସବୁ ଦିଗକୁ ବିଶ୍ଳେଷଣ କଲେ, ସଷ୍ଟ ବାରି ହୋଇପଡୁଛି, ଏହି ଅଘଟଣ ପାଇଁ ବିଦ୍ୟୁତ ବିଭାଗ ହିଁ ଦାୟୀ । ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ହିଁ ଏମିତି ଏକ ଅଘଟଣ ଘଟିଗଲା ।

କିଏ ଖସିଲା, କିଏ ଫସିଲା ? ବନ୍ଧା ହେଲେ ଡ୍ରାଇଭର । ବିଦ୍ୟୁତ ତାର ସଂସ୍ପର୍ଶରେ ଯାତ୍ରୀବାହୀ ବସ ଆସିବା ପଛରେ ସାମ୍ନାକୁ ଆସିଥିଲା ବିଜୁଳି ବିଭାଗର ଚରମ ଅବହେଳା । ରାସ୍ତାଠାରୁ ୬.୧ମିଟର ଉଚ୍ଚତାରେ ବିଦ୍ୟୁତ ତାର ଟାଣିବାକୁ ନିୟମ ଥିବା ବେଳେ ମାତ୍ର ୩.୧୪ମିଟର ଉଚ୍ଚତାରେ ଟଣା ଯାଇଥିଲା ୧୧କେଭିର ତାର । ଆଉ ରାସ୍ତା ଉପରେ ରହିଥିଲା ବିଦ୍ୟୁତ ଖୁଣ୍ଟ । କ’ଣ ଏଥିପାଇଁ ବସର ଡ୍ରାଇଭର ଦାୟୀ ।

ଥରେ ଭାବନ୍ତୁ, ଯଦି ତାରଟି ବସରେ ନଲାଗି, କୌଣସି ଲୋକଙ୍କ ଉପରେ ପଡିଯାଇଥାନ୍ତା, ତେବେ ଏଥିପାଇଁ କ’ଣ ଉକ୍ତ ଲୋକ ହିଁ ଦାୟୀ ହୋଇଥାନ୍ତେ । ରାସ୍ତାରେ କ’ଣ ଯା’ଆସ କରିବା ମନା ? ବିଦ୍ୟୁତ ବିଭାଗ ନିଜ ଦୋଷ ଲୁଚାଇବାକୁ ଯାଇ ଡ୍ରାଇଭର ଉପରେ ସବୁ ଦୋଷ ଲଦିଦେଉନାହାନ୍ତି ତ?

ହଁ ଏହା ଠିକ୍ ଯେ, ଡ୍ରାଇଭରଙ୍କୁ ସଚେତନ ହୋଇ ଗାଡିଚାଳନା କରିବାର ଥିଲା । କିନ୍ତୁ ରାସ୍ତା ଉପରେ ଝୁଲି ରହିଥିବା ତାର ଯେ, ମୃତ୍ୟୁର ଫାଶ ସାଜି ବସରେ ଲାଗିଯିବ, ତାହା କିଏ ଜାଣିଥିଲା । ଏହି ଘଟଣାରେ କ’ଣ ବିଦ୍ୟୁତ ବିଭାଗର କିଛି ବି ଭୁଲ୍ ନାହିଁ ? ଆଉ ଯଦି ଭୁଲ୍ ଅଛି, ତେବେ ଏପର୍ଯ୍ୟନ୍ତ କେତେ ଜଣ ଗିରଫ ହୋଇଛନ୍ତି । ୪ ଜଣ ଇଞ୍ଜିନିୟରଙ୍କୁ ସସପେଣ୍ଡ କରିଦେଲେ, କ’ଣ ସବୁ ଦୋଷ ତ୍ରୁଟି ମୁଣ୍ଡରୁ ଖସିଯିବ, ନା ଯେଉଁ କ୍ଷତି ହୋଇଛି ତାର ଭରଣା ହୋଇଯିବ । ଯଦି ଡ୍ରାଇଭର କାଠଗଡାକୁ ଟଣାହେବେ, ତେବେ ଏହି ଘଟଣା ପାଇଁ ଦାୟୀ ଥିବା ଅନ୍ୟ ବ୍ୟକ୍ତି ଖସିଯିବେ କ’ଣ ପାଇଁ ।

ସାରା ରାଜ୍ୟରେ ବିଦ୍ୟୁତ ବିଭାଗର ଅବହେଳା ହୁଏତ ଆଉ କାହାକୁ ଅଛପା ନାହିଁ । ଗଞ୍ଜାମରୁ ଗଜପତି ଏବଂ କେନ୍ଦ୍ରାପଡାରୁ କନ୍ଧମାଳ, ଯେଉଁଠି ଦେଖିବେ ସେହି ସମାନ ଚିତ୍ର । ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁର ଜାଲ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଝୁଲି ରହି ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି । ରବିବାର ଯେଉଁ ଅଘଟଣ ଘଟିଗଲା, ତାହା ଆଉ କେବେ କେଉଁଠି ନଘଟୁ । ଆଉ ଯଦି ଘଟେ, ତେବେ ଏଥିପାଇଁ ଶକ୍ତି ବିଭାଗ ପୁଣି କାହାକୁ ଦାୟୀ କରିବ । ସାରା ରାଜ୍ୟରେ ଭୁଷୁଡି ପଡିଥିବା ବିଦ୍ୟୁତ ବ୍ୟବସ୍ଥା ନେଇ ଉତ୍ତର ରଖିବେ କି ଶକ୍ତି ମନ୍ତ୍ରୀ ଏବଂ ଶକ୍ତି ବିଭାଗ ଏବଂ ରାଜ୍ୟ ସରକାର ।