ଗଞ୍ଜାମ ଘରୋଇ ବସ୍ ବିଦ୍ୟୁତ ତାର ସଂସ୍ପର୍ଶ ଆସିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୦ ! ସେପଟେ ଏସସିବିରେ ଚାଲିଛି ଗୁରୁତରଙ୍କ ଚିକିତ୍ସା

281

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ଘରୋଇ ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଂଚିଛି । ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୨୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚିକିତ୍ସାଧିନ ଅବସ୍ଥାରେ ୟୁ ଦେବରାଜ ରେଡ୍ଡୀ ନାମକ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ସଂକଟାପନ୍ନ ରୋଗୀଙ୍କ ଚିକିତ୍ସା କରୁଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ଏବଂ ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର ଅଧିକାରୀ କହିଛନ୍ତି ବିଦ୍ୟୁତ୍ ତାରଟି କମ୍ ଉଚ୍ଚତାରେ ଥିଲା । ଏବଂ କାହିଁକି ଏଭଳି ହେଲା ତାହାର ତଦନ୍ତ ହେବ ।