ବଦଳୁଛି ଗଞ୍ଜାମ ବିଜେଡି ରାଜନୀତି । ବାଦ ପଡିପାରନ୍ତି ପୁରୁଖା, ନୂଆ ପିଢ଼ିଙ୍କୁ ମିଳିପାରେ ସୁଯୋଗ । ବାପାଙ୍କ ସ୍ଥାନ ନେଇପାରନ୍ତି ପୁଅଝିଅ

453

କନକ ବ୍ୟୁରୋ: ଓଡିଶା ରାଜନୀତିରେ ଗଞ୍ଜାମ ଜିଲ୍ଲାର ବେଶ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାରୁ ସବୁବେଳେ ଫୋକସରେ ରହିଆସିଛି ଗଞ୍ଜାମ । ଗତ ନିର୍ବାଚନ ଗୁଡିକର ଗଞ୍ଜାମ ଜିଲ୍ଲାର ଫଳାଫଳ ବି ସବୁବେଳେ ଶାସକ ଦଳ ସପକ୍ଷରେ ଯାଇଛି । କିନ୍ତୁ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ନେତାଙ୍କ ଭିତରେ କନ୍ଦଳ ଆରମ୍ଭ ହୋଇଛି । ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାର ସମାଧାନ ପାଇଁ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାର ନେତାଙ୍କ ନେଇ ବୈଠକ କରିଛନ୍ତି ସଂଗଠନ ସମ୍ପାଦକ ।

ଗଞ୍ଜାମ ଜିଲ୍ଲାରେ ପୁଣି କେମିତି ଶାସକ ଦଳ ବିଜେଡି ଭଲ ପ୍ରଦର୍ଶନ କରିବ । ୨୦୧୯ ଭଳି ଅଧିକାଂଶ ଆସନ ଦାଖଲ କରିବ, ସେଥିପାଇଁ ଦଳୀୟ କାର୍ଯର୍୍ୟାଳୟରେ ଏକାଠି ହୋଇଛନ୍ତି ଜିଲ୍ଳାର ବିଧାୟକ, ସାଂସଦ ଓ ନେତା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଲୋଚନା କରିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ମତାନ୍ତର ମନାନ୍ତରକୁ ମ୍ୟାନେଜ୍ କରିବା ପାଇଁ ଦଳ ଉଦ୍ୟମ କରିଛି । ତେବେ ବୈଠକରେ ଯୋଗ ଦେଇଥିବା ନେତାଙ୍କୁ ଦେଖିଲେ ଲାଗୁଛି, ଦଳ କିଛି ଯୁବ ଚେହେରାଙ୍କୁ ଆଗକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରୁଛି ।

  • ବାଦ୍ ପଡି ପାରନ୍ତି ପୁରୁଖା
  • ନୂଆ ପୀଢ଼ିଙ୍କୁ ମିଳିପାରେ ସୁଯୋଗ

ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣଙ୍କ ବଦଳରେ ବୈଠକରେ ସାମିଲ ହୋଇଛନ୍ତି ପୁଅ ବିପ୍ଳବ ପାତ୍ର । ବାପା ସୂର୍ଯ୍ୟ ପାତ୍ର ଅସୁସ୍ଥ ହେବା ପରେ ଦିଗପହଣ୍ଡିରେ ବିଜେଡି ନେତୃତ୍ୱ ନେଉଛନ୍ତି । ଆଉ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିପରି ଆସିକା ବିଧାୟିକା ମଞ୍ଜୁଳା ପୁଅ ମଧ୍ୟ ଆଜିର ବୈଠକରେ ସାମିଲ ହୋଇଥିଲେ । ମା’ ମଞ୍ଜୁଳ ସ୍ୱାଇଁଙ୍କ ପାଖେ ପାଖେ ରହି ଦଳୀୟ ସଂଗଠନ କଥା ମଧ୍ୟ ବୁଝୁଛନ୍ତି । ସେହିପର ଚିକିଟି ବିଧାୟିକା ଉଷା ଦେବୀଙ୍କ ପୁଅ ପଞ୍ଚାୟତ ନିର୍ବାଚନ ପାଖରୁ ନିଜ ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି ।

ଚର୍ଚ୍ଚା ହେଉଛି, କବିସୂର୍ଯ୍ୟନଗରରେ ବିଧାୟିକା ଲତିକା ପ୍ରଧାନ ଓ ଦଳୀୟ ନେତା ହରପ୍ରସାଦ ସାହୁଙ୍କ ମଧ୍ୟରେ ପଡୁନାହିଁ । ଖଲିକୋଟରେ ବିଧାୟକ ସୂର୍ଯ୍ୟମଣି ବୈଦ ଓ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରେ ବିଧାୟକ ସୁବାଷ ବେହେରା, ବ୍ଲକ ଅଧ୍ୟକ୍ଷ ପ୍ରିୟାଂଶୁ ପ୍ରଧାନ ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଦିଗପହଁଣ୍ଡିରେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ, ଆସ୍କାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ମଧ୍ୟରେ କନ୍ଦଳ ରହିଛି । ଆଉ ନିର୍ବାଚନ ମଣ୍ଡଳୀରେ ନେତାମାନେ ନିଜ ନିଜର ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ତେବେ ଦଳୀୟ କନ୍ଦଳ କଥାକୁ ଖଣ୍ଡନ କରିଛନ୍ତି ବିଧାୟିକା ଲତିକା ପ୍ରଧାନ ।

୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ ହୋଇଥିଲେ । ତେବେ ଏଥର ସମ୍ପୂର୍ଣ୍ଣ ଆସନରେ ବିଜୟୀ ହେବାକୁ ଦଳ ରଣନୀତି କରୁଛି ।