କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରାଜନୈତିକ ରକ୍ତପାତ । ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତାଙ୍କୁ ବିଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ । ସୂଚନା ଅନୁସାରେ ମୃତ୍ୟୁ ହୋଇଥିବା ମଧୁ ବିଷୋୟୀ ବିଜେଡିର ଜଣେ ଦକ୍ଷ ସଂଗଠକ ଥିଲେ । ସେ ଗତ ପଂଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଥିଲେ । ଯାହାକୁ ନେଇ ଆଉ ଏକ ଗୋଷ୍ଠି ତାଙ୍କ ଉପରେ ରାଗ ରଖିଥିଲେ । ଆଉ ଗତକାଲି ମଧୁ ଜଣେ ସହଯୋଗୀଙ୍କ ସହ ଶେରଗଡ ଯାଇଥିବାବେଳେ ତାଙ୍କୁ ହତ୍ୟା କରିଥିଲେ ଦୁବୃର୍ତ । ପରେ ନଦୀକୁ ଫୋଫାଡି ଦେଲେ ଶବ । ଗଞ୍ଜାମ ବାରସିଙ୍ଗି ଗାଁ ନିକଟ ନନ୍ଦିନୀ ସେତୁ ଉପରେ ଏହି ହତ୍ୟା କାଣ୍ଡ ଘଟାଇଛନ୍ତି ଦୁବୃର୍ତ । ସୂଚନା ଅନୁସାରେ ମଧୁ ଗାଁକୁ ଫେରୁଥିବାବେଳେ ୩-୪ ଦୁର୍ବୃତ କାର ଓ ବାଇକରେ ଆସି ଅଟକାଇଥିଲେ । ଏହି ସମୟରେ ମଧୁଙ୍କ ସହଯୋଗୀ ପ୍ରାଣ ବିକଳରେ ଦୌଡି ପଳାଇଯାଇଥିଲେ । କିନ୍ତୁ ମଧୁ ଖସି ପାରିନଥିଲେ । ତାଙ୍କୁ ଗୋଡେଇ ଗୋଡେଇ ଯୁବକମାନେ ଖଣ୍ଡାରେ ହାଣି ପକାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା । ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଘଟଣାସ୍ଥଳରେ ଥିବା ଦୋକାନ ଗୁଡିକର ସିସିଟିଭି ଫୁଟେଜ ଯାଂଚ କରୁଛି ପୋଲିସ । ମଧୁ ଶେରଗଡରେ ଜଣେ ଶାସକ ଦଳର ପ୍ରମୁଖ ଯୁବ ନେତା । ହତ୍ୟାର କାରଣ ଯଦିଓ ଜଣାପଡିନି ହେଲେ ଏହା ପଛରେ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି ।