ଶିବ ମନ୍ଦିରରେ ଆଉ ଲାଗି ହେବନି ଗଞ୍ଜେଇ। ପୂର୍ବତନ ସାଂସଦ ତଥାଗତ ଶତପଥୀ କଲେ ନାପସନ୍ଦ

331

କନକ ବ୍ୟୁରୋ: ଗଞ୍ଜେଇ ବ୍ୟବହାର ଓ କାରବାର ବେଆଇନ ହୋଇଥିଲେ ବି, ତ୍ରିନାଥ ମେଳାଠାରୁ ଆରମ୍ଭ କରି, ଶିବ ମନ୍ଦିରରେ ଗଞ୍ଜେଇ ଭୋଗ ଭାବରେ ଲାଗି ହୋଇଥାଏ । ଏପରିକି ମହାଦେବଙ୍କ ନିକଟରେ ଗଞ୍ଜେଇ ଭୋଗ କରିବାର ବିଧି ରହିଥିବା ସଂସ୍କୃତି ଗବେଷକ ମତ ଦିଅନ୍ତି । ସେମାନଙ୍କ ମତରେ ଶିବଙ୍କ ପାଖରେ ଗଞ୍ଜେଇ ଲାଗି ହେବା କଥା ପୂରାଣରେ ବର୍ଣ୍ଣନା କରାଯାଇଛି । ତେଣୁ ଶିବ ମନ୍ଦିରରେ ଗଞ୍ଜେଇ ଟାଣିବା ବନ୍ଦ ହେଉ, ହେଲେ ଭୋଗ ଭାବେ ଲାଗି ହେବା ବନ୍ଦ କରାନଯାଉ ।

ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ଶିବ ମନ୍ଦିରରେ ଗଞ୍ଜେଇ ବନ୍ଦ ନିଷ୍ପତିକୁ ନାପସନ୍ଦ କରିଛନ୍ତି । କହିଛନ୍ତି, ପ୍ରଶାସନ ଓଡି଼ଆଙ୍କ ସଂସ୍କୃତି ବାବଦରେ ଅବଗତ ନାହାନ୍ତି । ଏପରି ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ । ସରକାର ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ ।

କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ମଧ୍ୟ ଏପରି ନିଷ୍ପତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ଏପରି ନିର୍ଦ୍ଦେଶର କୌଣସି ଆବଶ୍ୟକତା ନାହିଁ । ଦେବାଦେବୀଙ୍କ ଠାରେ ଗଞ୍ଜେଇ ଭୋଗ ଭାବେ ଲାଗି ହୁଏ । ମନ୍ଦିରକୁ ପରିଷ୍କାର ଏବଂ ଶୃଙ୍ଖଳିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଗଞ୍ଜେଇର ଔଷଧୀୟ ଗୁଣ ଥିବା ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରନ୍ତି । କିନ୍ତୁ ପ୍ରକୃତରେ ଏଥିରେ କେତେ ଔଷଧୀୟ ଗୁଣ ରହିଛି, ସେନେଇ ଏବେ ବି ବିତର୍କ ଲାଗି ରହିଛି । ଜଣଙ୍କ ସ୍ୱାସ୍ଥ୍ୟ ଉପରେ ଗଞ୍ଜେଇ କେମିତି ପ୍ରଭାବ ପକାଏ ତା ଉପରେ ଅଧିକ ଗବେଷଣା ହୋଇନାହିଁ ।