କନକ ବ୍ୟୁରୋ: ପୁଲିସକୁ ଗୁଳି କରି ଫେରାର ହେଉଥିବା ଗଂଜେଇ ମାଫିଆ ଗିରଫ । ଅଭିଯୁକ୍ତ ରୂପେଶକୁ ଗିରଫ କରିଛି ପୁଲିସର ସ୍ପେଶାଲ ସ୍ୱାର୍ଡ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି–ଚଟିବରଘାଟ ରାସ୍ତା ଦେଇ ବୌଦ୍ଧ ଜିଲ୍ଲାରୁ ଦେବଗଡ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ସୂଚନା ପାଇଥିଲା ରିଆମାଳ ପୁଲିସ । ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ବିକାଶ ରାଜହଂସ ଓ ପୌଳସ୍ତି ଜଗଦଳା ଏବଂ ସମ୍ବଲପୁର ଜମନକିରା ଅଂଚଳର ରୂପେଶ ପ୍ରସାଦ ନାମକ ୩ ଜଣ ଯୁବକ ଏକ ଆଇ -୨୦ କାର ଓ ବାଇକ ଯୋଗେ ଗଂଜେଇ ନେଇ ଆସୁଥିଲେ ।

Advertisment

ଗୋହିରା ଡ୍ୟାମ ରାସ୍ତା ପାଖରେ ରିଆମାଲ ଥାନା ପୁଲିସ ସେଠାରେ ଚଢାଉ କରିଥିଲା । ତେବେ ବାଇକ ସହ ପୁଲିସ ୨ ଜଣଙ୍କୁ କାବୁ କରିଥିଲା । ହେଲେ ଅଭିଯୁକ୍ତ ରୂପେଶ କାରରେ ଫେରାର ହୋଇ ଯାଉଥିବା ବେଳେ ପୁଲିସ ସ୍ପେଶାଳ ସ୍କାର୍ଡ ତାକୁ ଦେଓଧର ଠାରେ ଅଟକାଇବାକୁ ଚେଷ୍ଟା କରିଥିଲା । ସେଠାରେ ଅଭିଯୁକ୍ତ ରୂପେଶ ପୁଲିସ ଉପରକୁ ଗୁଳି କରି ଫେରାର ହେବାକୁ ଉଦ୍ୟମ କରିଥିଲା । ତେବେ ସ୍ପେଶାଲ ସ୍କାର୍ଡ ତାକୁ ଗିରଫ କରିବାରେ ସଫଳ ହୋଇଛି । ପରେ ଯାଂଚ ବେଳେ ଗାଡିରୁ ଗୋଟିଏ ମାଉଜର ଓ ୭ଟି ଜୀବନ୍ତ ଗୁଳି ଜବତ ହୋଇଛି ।