କନକ ବ୍ୟୁରୋ : ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଂଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଭିନ୍ନ ଶୈବପୀଠରେ ଗଞ୍ଜେଇର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଅତ୍ୟନ୍ତ ଦୂଷିତ ହେଉଛି । ଭକ୍ତମାନେ ସେମାନଙ୍କର ମନୋକାମନା ପୂରା କରିବାକୁ ଠାକୁରଙ୍କୁ ଗଞ୍ଜେଇ ଯାଚଣା କରୁଛନ୍ତି ଓ ସେଠାରେ ତାହାର ବହୁଳ ବ୍ୟବହାର ହେଉଛି । ତେଣୁ ଶୈବକ୍ଷେତ୍ର ଗୁଡିକରେ ଗଞ୍ଜେଇର ବ୍ୟବହାର ଉପରେ କଟକଣା ଲାଗୁ କରିବାକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା ।
ତେବେ ଶୈବକ୍ଷେତ୍ରରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଯେମିତି ମନ୍ଦିର ଗୁଡିକରେ ବଳି ପ୍ରଥା ବନ୍ଦ କରାଗଲା ସେମିତି ନିଶା କାରବାରକୁ ବନ୍ଦ କରିବାକୁ ଏମିତି କରାଯାଇଛି । ଏହାସହ ଏଭଳି ନିର୍ଦ୍ଦେଶକୁ ସମର୍ଥନ କରୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ନିଶା ସେବନ ମନ୍ଦିର ଭିତରେ ହେବା ଉଚିତ୍ ନୁହେଁ । କେବଳ ଶୈବପୀଠ ନୁହେଁ ଯେକୌଣସି ଧର୍ମପୀଠରେ ନିଶା ସେବନ ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/15-14.jpg)