କଳା ହୀରାକୁ ନେଇ ଝାରସୁଗୁଡାରେ ଚାଲିଛି ଗ୍ୟାଙ୍ଗୱାର, କଥା କଥାକେ ଫୁଟୁଛି ଗୁଳି । ପୋଲିସ କହିଲା, ମୂଳପୋଛ ହେବ ଅପରାଧ ସାମ୍ରାଜ୍ୟ ।

428

କନକ ବ୍ୟୁରୋ : ଝାରସୁଗୁଡ଼ା ବ୍ରଜରାଜନଗରରେ ଚାଲିଛି ମାଫିଆଙ୍କ ଉତ୍ପାତ । କଥା କଥାରେ ଗୁଳି ଫୁଟୁଛି, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ମୁଣ୍ଡ ଗଡାଇ ଚାଲିଛନ୍ତି ଅପରାଧୀ । ବ୍ରଜରାଜନଗରରେ ପଏଂଟ ବ୍ଲାଙ୍କରୁ ଗୁଳିକରି ଜଣଙ୍କୁ ହତ୍ୟା କରିବା ପରେ ସାମନାକୁ ଆସିଛି ଏହି ଗ୍ୟାଙ୍ଗୱାରର ସାଂଘାତିକ ଚିତ୍ର । ସିସିଟିଭି ଫୁଟେଜକୁ ଆଧାର କରି ୪ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । କୁହାଯାଉଛି, ଗ୍ୟାଙ୍ଗୱାର ପଛରେ ରହିଛି କଳା ହୀରାର କାହାଣୀ । କୋଇଲା ଉତୋଳନ ଓ ପରିବହନକୁ ନେଇ ୨୦ ବର୍ଷ ହେବ ଜାରି ରହିଛି ଏହି ଗୋଷ୍ଠୀ ସଂଘର୍ଷ ।

ଦୁଇ ଦିନ ତଳର ସିସିଟିଭି ଫୁଟେଜ୍ ବୟାନ କରୁଛି କିପରି ଝାରସୁଗୁଡ଼ା ଜିଲ୍ଲାରେ ଚାଲିଛି ଗ୍ୟାଙ୍ଗୱାର । ବେଧଡ଼କ ଭାବେ କିପରି ଚାଲିଛି ଗୁଳିମାଡ଼, କିପରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ପଏଂଟ ବ୍ଲାଙ୍କରୁ ଗୁଳି କରୁଛନ୍ତି ଅପରାଧୀ, ସବୁ କିଛି ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରାରେ । ବ୍ରଜରାଜନଗରର ଏକ କାଫେ ନିକଟରେ ମଣ୍ଟୁ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ପଏଂଟ ବ୍ଲାଙ୍କରୁ ଗୁଳିକରି ହତ୍ୟା କରିବା ପରେ ପୁଣି ଥରେ ସାମନାକୁ ଆସିଛି ଝାରସୁଗୁଡ଼ା ଗ୍ୟାଙ୍ଗୱାରର ସାଂଘାତିକ ଚିତ୍ର । ସିସିଟିଭି ଫୁଟେଜକୁ ଆଧାର କରି ୪ ଅପରାଧୀଙ୍କୁ ଏନକାଉଣ୍ଟର କରିବା ପରେ ଗିରଫ କରିଛି ପୁଲିସ ।

ତେବେ ଏହି ଗ୍ୟାଙ୍ଗୱାର ପଛରେ ରହିଛି କଳା ହୀରାର କାହାଣୀ । କୋଇଲା ଉତୋଳନ ଓ ପରିବହନକୁ ନେଇ ଝାରସୁଗୁଡା ବ୍ରଜରାଜନଗରରେ ଚାଲିଛି ମାଫିଆ ରାଜ୍ । ରାତାରାତି କୋଟିପତି ହେବା ଆଶାରେ ୨୦ ବର୍ଷ ହେବ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । କଥାକଥାରେ ବନ୍ଧୁକ ଗର୍ଜୁଛି । ଏହି କୋଇଲା କଳିକୁ ନେଇ ୨୦ ବର୍ଷରେ ଅନେକ ମୁଣ୍ଡ ଗଡିଛି । ଗତ ୬ ମାସରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାର ବ୍ରଜରାଜନଗରରେ ବାରମ୍ବାର ଗ୍ୟାଙ୍ଗୱାର ଯୋଗୁଁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଶିଳ୍ପନଗରୀ ଝାରସୁଗୁଡାକୁ ଅପରାଧ ମୁକ୍ତ କରିବା ସହ ଅପରାଧୀଙ୍କୁ ସାବାଡ କରିବା ପାଇଁ ତନଘନା ଚଳାଇଛି ପୁଲିସ । ଅପରାଧ ଘଟାଉଥିବା ଅପରାଧୀଙ୍କ ମୂଳପୋଛ କରାଯିବ ବୋଲି କହିଛନ୍ତି ଉତରାଂଚଳ ଡିଆଇଜି ହିମାଂଶୁ ଲାଲ୍ ।

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର କୋଇଲା ଖଣି ଅଂଚଳରେ ବଢ଼ିବାରେ ଲାଗିଛି ଅପରାଧ ସାମ୍ରାଜ୍ୟ । କୋଇଲା ଉତୋଳନ, ପରିବହନ ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାର ଦାଦାବଟି ଆଦାୟକୁ ନେଇ ଘଟି ଚାଲିଛି ଅପରାଧ । ନିଜ ପତିଆରା ଜାହିର କରିବା ପାଇଁ ମାଫିଆ ଗୋଷ୍ଠୀ ମଧ୍ୟରେ ଚାଲିଛି ପ୍ରତିଯୋଗିତା ।