କନକ ବ୍ୟୁରୋ: ଗୋଟିଏ ପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଥିବାବେଳେ, ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକର ଉପରେ ଦେଖିବାକୁ ମିଳିଛି ଗ୍ୟାଙ୍ଗୱାରର ଦୃଶ୍ୟ । ଗୋଟିଏ ଗ୍ୟାଙ୍ଗର ଯୁବକ ଗୋଡାଇ ଗୋଡାଇ ଆଉ ଏକ ଗ୍ୟାଙ୍ଗର ସଦସ୍ୟଙ୍କୁ ହାଣିଛନ୍ତି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ସ୍ମାର୍ଟ ସିଟିର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏଭଳି କାଣ୍ଡ ସମସ୍ତକୁ ଚମକାଇ ଦେଇଛି ।
ଆଜି ଦିନ ପ୍ରାୟ ୧.୩୦ ବେଳକୁ ହଠାତ୍ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବକଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣୁଥିଲେ ଜଣେ ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଖଣ୍ଡାରେ ମାରିଚାଲିଥିଲେ ଚୋଟ ପରେ ଚୋଟ । ଆଉ ମାଷ୍ଟରକ୍ୟାଣ୍ଟିନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରାୟ ୧୫ ମିନିଟ କାଳ ଏଭଳି ଆତଙ୍କରାଜ ଚାଲିଥିଲା ।
ମିଳିଥିବା ସୂଚନା ମୁତାବକ ଏହି ଘଟଣାର ମାଷ୍ଟରମାଇଣ୍ଡ ରାଜା ନାମକ ଜଣେ ଯୁବକ ବୋଲି ଜଣାପଡିଛି । ରାଜା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ରାଜ ଦୀର୍ଘସମୟ ଧରି ବିଚରାସ୍ତାରେ ନିଜ ଗ୍ୟାଙ୍ଗକୁ ଧରି ଆତଙ୍କ ଚଳାଇଥିଲା । ସେ ନୃଶଂସତାର ସବୁ ସୀମା ଟପିଯାଇଥିଲା । ତେବେ ନିଶା କାରବାରକୁ ନେଇ ଯୁକ୍ତିତର୍କ ପରେ ହଠାତ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସନ୍ଦେହ କରୁଛି ପୁଲିସ ।
ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱରର ଛାତି ଉପରେ କାହିଁକି ହେଲା ଏଭଳି ଗଣ୍ଡଗୋଳ? ଗଣ୍ଡଗୋଳ ପଛରେ ନିଶାକାରବାର ମୁଖ୍ୟ କାରଣ କି ? ରାଜାକୁ ଛାଡିଦେଲେ ଘଟଣା ପଛରେ ଆଉ କିଏ ଅଛି ? ଏଭଳି ତମାମ ଦିଗକୁ ନେଇ ପୁଲିସର ତଦନ୍ତ ଆଗକୁ ବଢିଛି ।
ମାଷ୍ଟରକ୍ୟାଣ୍ଟିନର ଏହି ଗ୍ୟାଙ୍ଗୱରରେ ୩ ଜଣ ଆହତ ହୋଇଛନ୍ତି । ସବୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ସିସିଟିଭିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ବଡ ପ୍ରଶ୍ନ ହେଉଛି, ରାଜଧାନୀରେ ପୁଲିସ ଉପରୁ ଅପରାଧୀଙ୍କ ଡର ଛାଡଗଲାଣି କି ? ଦିନ ଦ୍ୱି-ପହରରେ କେମିତି ମୁହାଁମୁହିଁ ହୋଲେ ଦୁଇଗୋଷ୍ଠୀ?