କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ୩ଟି ଟିମ୍ ସେମିଫାଇନାଲ ଖେଳିବାକୁ ଟିକେଟ ହାତେଇଥିବା ବେଳେ ଆଉ ଗୋଟିଏ ସ୍ଥାନ ପାଇଁ ୩ ଦଳ ମଧ୍ୟରେ କଡା ଟକ୍କର ଲାଗିଛି । ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ସେମିଫାଇନାଲ ରେସରେ ରହିଛନ୍ତି । ଏହି ୩ ଟିମ୍ ମଧ୍ୟରୁ ଯେଉଁ ଟିମ୍ ସେମିଫାଇନାଲ ଟିକେଟ ହାତେଇବ ସେହି ଟିମ୍ ଭାରତ ସହ ଖେଳିବ । ଏହାଭିତରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବଡ ବୟାନ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ ଚାହୁଁଛି ଯେ ପାକିସ୍ତାନ ସେମିଫାଇନାଲକୁ ଯାଉ ଏବଂ ଭାରତ ବିପକ୍ଷରେ ଖେଳୁ । କାରଣ ସେମିଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ଠାରୁ ବଡ ମ୍ୟାଚ୍ କିଛି ହୋଇ ନପାରେ । ଗାଙ୍ଗୁଲି ଏକଥା ଏଥିପାଇଁ କହୁଛନ୍ତି, କାରଣ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇଲେ ଭାରତ ସହ ଖେଳିବ ଏବଂ ଅଧିକାଂଶ କ୍ରିକେଟପ୍ରେମୀ ମଧ୍ୟ ବିଶ୍ୱକପରେ ଏମିତି ହାଇଭୋଲଟେଜ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି ।

Advertisment

ଚଳିତ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ତେଣୁ ସେମିଫାଇନାଲରେ ଭାରତକୁ ପାକିସ୍ତାନ ଭେଟିଲେ ଏହା ଆହୁରି ରୋମାଞ୍ଚକର ହେବ । ଏହାସହ ବିଶ୍ୱକପ ଇତିହାସରେ ଭାରତକୁ କେବେ ପରାଜିତ କରିବାରେ ସକ୍ଷମ ହୋଇନି ପାକିସ୍ତାନ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ସେମିଫାଇନାଲ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି । କିନ୍ତୁ ଯଦି ପାକିସ୍ତାନ ସେମିଫାଇନାଲରେ ଏଣ୍ଟ୍ରି କରୁଛି ତେବେ ଭେନ୍ୟୁରେ ପରିବର୍ତ୍ତନ କରାଯାଇପାରେ । ୱାଙ୍ଖଡେ ଷ୍ଟାଡିୟମ ବଦଳରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇପାରେ ମ୍ୟାଚ୍ । ଏମିତିକି ତାରିଖରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ।

ଏସବୁ ଭିତରେ ନଜର ପକାନ୍ତୁ ୩ ଟିମ୍ ମଧ୍ୟରୁ କେଉଁ ଟିମ୍ କିଭଳି ହାତେଇପାରିବେ ସେମିଫାଇନାଲ ଟିକେଟ?
ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଉଥିବା ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ କିୱି ଦଳ । କାରଣ ନ୍ୟୁଜିଲାଣ୍ଡର ରନରେଟ୍ ଅନ୍ୟ ୨ ଦଳ ଠାରୁ ବେଶ ଭଲ ରହିଛି । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ । ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ଦକ୍ଷିଣ ଆଫ୍ରିକାକୁ ଆଫଗାନିସ୍ତାନ ବଡ ବ୍ୟବଧାନରେ ନହରାଇଲେ ରନ୍ ରେଟରେ ବହୁତ ପଛୁଆ ରହିବ । ଏଭଳି ସ୍ଥିତିରେ ପାକିସ୍ତାନ ଯଦି ଇଂଲଣ୍ଡକୁ ପରାଜିତ କରୁଛି ତେବେ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ।

ଅନ୍ୟ ଏକ ସମୀକରଣ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷରେ ଯଦି ନ୍ୟୁଜିଲାଣ୍ଡ ବିଜୟୀ ହେଉଛି ତେବେ ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହେବା ନିଶ୍ଚିତ । କାରଣ ରନ୍ ରେଟ ହିସାବରେ ପାକିସ୍ତାନ ଓ ଆଫଗାନିସ୍ତାନ ଠାରୁ ଯଥେଷ୍ଟ ଆଗରେ ରହିଛି ନ୍ୟୁଜିଲାଣ୍ଡ ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିଜୟୀ ହେଲେ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହେବ । କାରଣ ରନରେଟରେ ଢେର ପଛୁଆ ରହିଛି ଆଫଗାନିସ୍ତାନ । ତେଣୁ ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ପରାଜୟ ହେଲେ ହିଁ ଦକ୍ଷିଣ ଆଫ୍ରିକାକୁ ହରାଇ ଆଫଗାନିସ୍ତାନ ସେମିଫାଇନାଲ ଟିକେଟ ହାତେଇପାରିବ ।