କନକ ବ୍ୟୁରୋ : ବିଶ୍ୱକପ ପରେ ସନ୍ୟାସ ନେଇ ଯାଆନ୍ତୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଏଭଳି କହି ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର । ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟରୁ କୋହଲି ସନ୍ୟାସ ନେବାକୁ ପରାମର୍ଶ ଦେଇଛନ୍ତି ସୋଏବ । ଏକ ସାକ୍ଷାତକାରରେ ସୋଏବ କହିଛନ୍ତି, ୨୦୨୩ ବିଶ୍ୱକପ ପରେ କୋହଲି ଦିନିକିଆ ଫର୍ମାଟରେ ଖେଳିବା ଉଚିତ୍ ନୁହେଁ । ତେବେ ଆଗାମୀ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କୋହଲିଙ୍କୁ କ୍ରିକେଟ ଖେଳୁଥିବାର ଦେଖିବାକୁ ଚାହୁଁଥିବା କହିଛନ୍ତି ସୋଏବ । କୋହଲି ଏବେ ଦିନିକିଆ ଫର୍ମାଟକୁ ବାଏ ବାଏ କରି ଟେଷ୍ଟ କ୍ରିକେଟ ଉପରେ ଫୋକସ କରିବା ଉଚିତ୍ ବୋଲି କହିଛନ୍ତି ସୋଏବ । ଏହାସହ ଟେଷ୍ଟ କ୍ରିକେଟରେ ଶତକ ପରେ ଶତକ ହାସଲ କରି ସଚିନଙ୍କ ରେକର୍ଡ କୋହଲି ଭାଙ୍ଗନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି । ଏବେ କୋହଲିଙ୍କ ନାଁରେ ୭୬ଟି ଶତକ ରହିଛି । ଅନ୍ୟପଟେ ସଚିନଙ୍କ ନାଁରେ ୧୦୦ଟି ଶତକ ରହିଛି । ତେଣୁ ଏହି ରେକର୍ଡ ଭାଙ୍ଗିବା କୋହଲିଙ୍କ ପାଇଁ ମଧ୍ୟ ଏତେ ସହଜ ନୁହେଁ ।

Advertisment

କୋହଲିଙ୍କୁ ନେଇ ସୋଏବଙ୍କ ଏପରି ବୟାନ ଶୁଣିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । କୋହଲିଙ୍କ ସମର୍ଥନରେ ବାହାରିବା ସହ ଗାଙ୍ଗୁଲି କହିଛନ୍ତି, କୋହଲି କାହିଁକି ସନ୍ୟାସ ନେବେ? ବିରାଟ କୋହଲିଙ୍କୁ ଯେମିତି କ୍ରିକେଟ ଖେଳିବା କଥା ତାହା ସେ ଖେଳିବା ଉଚିତ୍ । କାରଣ କୋହଲି ଏବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ।

ଏମିତିରେ ରେକର୍ଡକୁ ଦେଖିଲେ ଦିନିକିଆରେ କୋହଲିଙ୍କର ପ୍ରଦର୍ଶନ ବେଶ ଭଲ ରହିଛି । ଦିନିକିଆରେ କୋହଲି ୪୬ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଓ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି । କୋହଲି ଏବେ ଦମଦାର ଫର୍ମରେ ମଧ୍ୟ ରହିଛନ୍ତି । ତେଣୁ ଆଉ କିଛି ବର୍ଷ ଦିନିକିଆ ମ୍ୟାଚ୍ ଖେଳିଲେ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ଏହା ଭିତରେ ୧୫ ବର୍ଷ ପୂରା କରିଛନ୍ତି ।

କୋହଲିଙ୍କ ସନ୍ୟାସ ନେଇ ଗାଙ୍ଗୁଲି, ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ମୁହଁ ଚୁପ୍ କରିଥିବା ବେଳେ ଆଗାମୀ ବିଶ୍ୱକପ ନେଇ ବଡ ବୟାନ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ଯୁବ ପ୍ରତିଭାଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ଉଚିତ୍ । ପ୍ରଶଂସକ ମଧ୍ୟ ସେମାନଙ୍କ ଷ୍ଟାର କ୍ରିକେଟରଙ୍କ ସାଥୀରେ ଛିଡା ହେବା ଆବଶ୍ୟକ । ଯଦି ବିଶ୍ୱକପ ପୂର୍ବରୁ ଶ୍ରେୟସ ଆୟର ଫିଟ୍ ନ ହୁଅନ୍ତି ତେବେ ୪ ନମ୍ବର ସ୍ଥାନରେ ବାମହାତୀ ବ୍ୟାଟର ତିଲକ ବର୍ମାଙ୍କୁ ସ୍ଥାନ ମିଳିବା ଉଚିତ୍ । ଆମ ପାଖରେ ୪ ନମ୍ବର ସ୍ଥାନରେ ଖେଳିବାକୁ ଅନେକ ବିକଳ୍ପ ରହିଛି । ଯେହେତୁ ତିଲକ ବର୍ମା ବାମହାତୀ ବ୍ୟାଟର ତେଣୁ ସେ ୪ ନମ୍ବର ସ୍ଥାନରେ ଟିମ୍ ଇଣ୍ଡିଆ ପାଇଁ ଭଲ ବିକଳ୍ପ ହୋଇପାରିବେ । ଭଳ ଖେଳାଳୀଙ୍କୁ ନେଇ ସନ୍ତୁଳିତ ଦଳ ରହିଛି । ଯେଉଁଠି ଯୁବ ପ୍ରତିଭାଙ୍କ ସମେତ ଅନୁଭବୀ ଖେଳାଳୀ ମଧ୍ୟ ରହିଛନ୍ତି । ତେଣୁ ଭାରତ ପାଖରେ ବିଶ୍ୱକପ ଜିତିବାର ସୁଯୋଗ ରହିଛି ।