କନକ ବ୍ୟୁରୋ : ରୋହିତ ଶର୍ମାଙ୍କୁ ଉଭୟ ଦିନିକିଆ ଓ ଟି-୨୦ର ଅଧିନାୟକ ଦାୟିତ୍ୱ ମିଳିବା ପରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଖାସକରି ରୋହିତଙ୍କୁ ଦିନିକିଆ ଅଧିନାୟକ କରାଯିବା ପରେ କୋହଲି ଓ ବିସିସିଆଇ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିରାଟ କୋହଲିଙ୍କ ବୟାନ । ବିରାଟ କହିଥିଲେ, ସେ ଦିନିକିଆ ଅଧିନାୟକ ପଦରେ ରହିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ସେ ସୁଯୋଗ ଦିଆଗଲା ନାହିଁ । ଆଉ କୋହଲିଙ୍କ ଏହି ପଦିଏ ବୟାନକୁ ବିବାଦ ଆରମ୍ଭ ହୋଇଛି । ଅଚାନକ ଏଭଳି ଘୋଷଣାକୁ କ୍ରିକେଟପ୍ରେମୀ ମଧ୍ୟ ନାପସନ୍ଦ କରିଛନ୍ତି । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ରୋହିତ ହିଁ ଅଧିନାୟକ ପଦ ପାଇଁ ସବୁଠୁ ପସନ୍ଦର ଚେହେରା ଥିଲେ ।

Advertisment

ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଟି-୨୦ ଅଧିନାୟକ ଭାବେ ରୋହିତଙ୍କୁ ଦେଖିବାକୁ ମିଳିଥିଲା । ଆଉ ୩ଟି ମ୍ୟାଚ୍ ଜିତି ଦମଦାର ଢଙ୍ଗରେ ସିରିଜ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ଭାବେ ବେଶ ସକରାତ୍ମକ ଢଙ୍ଗରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ରୋହିତ । ଆଉ ଏସବୁ ଦେଖିବା ପରେ ସୌରଭ ଗାଙ୍ଗୁଲି କହିଛନ୍ତି, ରୋହିତ ଶର୍ମା ଏହି ପଦ ପାଇଁ ବାସ୍ତବରେ ହକଦାର । ଏହାଛଡା ବିରାଟଙ୍କୁ ଟି-୨୦ ଅଧିନାୟକ ପଦ ନ ଛାଡିବାକୁ ଅନୁରୋଧ କରାଯାଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି । କିନ୍ତୁ ଗାଙ୍ଗୁଲିଙ୍କ ତରଫରୁ ଏଭଳି କୌଣସି ଅନୁରୋଧ କରାଯାଇନଥିଲା ବୋଲି କହିଛନ୍ତି କୋହଲି ।

ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଜଣେ କ୍ୟାପଟେନ ଭାବେ ରୋହିତ ଯାହା କରିଛନ୍ତି ସେଥିପାଇଁ ସେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ପାଇଁ ହକଦାର । ଆଇପିଏଲରେ ମୁମ୍ବାଇକୁ ୫ ଥର ଚାମ୍ପିୟନ କରିବା ସହ ଚାପରେ କିଭଳି ଖେଳାଯାଏ ତାହାର ଅନୁଭବ ରୋହିତଙ୍କ ନିକଟରେ ରହିଛି । ଯେତେବେଳେ ବିରାଟ ଟି-୨୦ ଫର୍ମାଟରେ ଅଧିନାୟକ ରହିବେ ନାହିଁ ବୋଲି ସ୍ଥିର କଲେ ସେତେବେଳେ ରୋହିତ ହିଁ ଏହି ପଦ ପାଇଁ ସବୁଠୁ ଭଲ ବିକଳ୍ପ ଥିଲେ । ଆଉ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ ଜିତି ଏହାକୁ ପ୍ରମାଣିତ କରିଛନ୍ତି ରୋହିତ । ଆଗକୁ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।

ଏହାସହ ଗାଙ୍ଗୁଲି କହିଛନ୍ତି, ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୧୭, ବିଶ୍ୱକପ ୨୦୧୯ରେ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ଟି-୨୦ ବିଶ୍ୱକପରେ ଭାରତର ପ୍ରର୍ଦଶନ ନୈରାଶ୍ୟଜନକ ରହିଥିଲା । ଆଇସିସିର ମେଗା ଇଭେଣ୍ଟରେ ଦଳ ନିଜର ପୂରା କ୍ଷମତା ଅନୁଯାୟୀ ଖେଳୁନଥିଲା । ଯେଉଁଥିପାଇଁ ଦଳ ଗତ କିଛି ବର୍ଷ ହେବ ଆଇସିସି ଟ୍ରଫି ହାତେଇବାରୁ ଦୂରେଇ ରହିଛି ।