କନକ ବ୍ୟୁରୋ : ବିଶ୍ୱକପ ପାଇଁ ଭାରତ ଏଯାଏଁ ନିଜର ଦଳ ଘୋଷଣା କରିନାହିଁ । ଏସିଆ କପର ପ୍ରଥମ କେତୋଟି ମ୍ୟାଚରେ ପ୍ରଦର୍ଶନକୁ ଦେଖି ଭାରତ ନିଜର ବିଶ୍ୱକପ ଦଳ ଘୋଷଣା କରିପାରେ । ତେବେ ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ମନ ପସନ୍ଦର ୧୫ ଜଣିଆ ବିଶ୍ୱକପ ଟିମ୍ ବାଛିଛନ୍ତି । ସୌରଭଙ୍କ ବିଶ୍ୱକପ ଟିମରୁ କିଛି ବରିଷ୍ଠ ଖେଳାଳୀଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି ।

Advertisment

ସୌରଭ କହିଛନ୍ତି, ଟିମରେ ସ୍ପିନ ସ୍ପେଶାଲିଷ୍ଟ ଭାବେ କୁଳଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ । ସେହିଭଳି ଆବଶ୍ୟକ ପଡିଲେ ଚହଲ ମଧ୍ୟ ଭଲ ବିକଳ୍ପ ରହିଛନ୍ତି । ମଧ୍ୟକ୍ରମରେ ତିଲକ ବର୍ମାଙ୍କୁ ସୁଯୋଗ ମିଳିପାରେ ବୋଲି କହିଛନ୍ତି ଗାଙ୍ଗୁଲି । ତେବେ ସୌରଭ ବାଛିଥିବା ଟିମରେ ରୋହିତଙ୍କ ନେତୃତ୍ୱରେ କୋହଲି, ଗିଲ, ଇଶାନ କିଷାନ, କେ.ଏଲ ରାହୁଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ସାମି ଓ ସାର୍ଦ୍ଦୁଳ ଠାକୁର ରହିଛନ୍ତି ।

ସୌରଭ ନିଜ ଟିମରେ କିନ୍ତୁ ସଞ୍ଜୁ ସାମସନ, ରିଙ୍କୁ ସିଂ, ଅର୍ଶଦୀପ ସିଂଙ୍କ ଭଳି ପ୍ରତିଭାବାନ ଖେଳାଳୀଙ୍କୁ ସ୍ଥାନ ଦେଇନାହାନ୍ତି । ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବ କ୍ରିକେଟ ବିଶ୍ୱକପ୍ । ୧୦ଟି ଟିମକୁ ନେଇ ରାଉଣ୍ଡ ରିବନ ଫର୍ମାଟରେ ଖେଳାଯିବ ମ୍ୟାଚ୍ । ଅଥାର୍ତ ପ୍ରତ୍ୟେକ ଟିମ୍ ପ୍ରଥମ ପର୍ଯ୍ୟାୟରେ ୯ଟି ଲେଖାଏଁ ମ୍ୟାଚ୍ ଖେଳିବେ । ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଶ୍ରେଷ୍ଠ  ୪ ଦଳ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବେ । ତେବେ ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିବ ।