କନକ ବ୍ୟୁରୋ : ଖୁବଶୀଘ୍ର ଆଇପିଏଲ ୨୦୨୨ ପାଇଁ ମହାନିଲାମୀ ହେବାକୁ ଯାଉଛି । ଏନେଇ ସଂକେତ ଦେଇ ସାରିଲେଣି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଆଇପିଏଲର ଲୋକପ୍ରିୟତା ଦୃଷ୍ଟିରୁ ଏଥର ମିଡ଼ିଆ ରାଇଟସ ଦ୍ୱାରା ପାଖାପାଖି ୪୦ ହଜାର କୋଟି ଲାଭ କରିବା ଆଶାରେ ରହିଛି ବିସିସିଆଇ ।
ଚଳିତ ଆଇପିଏଲ ସିଜିନ ପାଇଁ ଦୁଇଟି ନୂଆ ଟିମ୍ ସାମିଲ ହୋଇଛନ୍ତି । ଆଉ ଏହି ଦୁଇଟି ନୂଆ ଟିମ୍ ସାମିଲ ହେବା ଦ୍ୱାରା ବିସିସିଆଇ ମହାନିଲାମୀ ପୂର୍ବରୁ ୧୨,୭୨୫ କୋଟି ଟଙ୍କା ଆୟ କରିସାରିଛି । ଆଉ ଏହି ଆୟକୁ ମିଶାଇ ଚଳିତ ଆଇପିଏଲ ସିଜିନରୁ ବିସିସିଆଇ ପାଖାପାଖି ୫୨ ହଜାର କୋଟି ଟଙ୍କା ରୋଜଗାର କରିପାରେ ।
ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଦୁଇଟି ନୂଆ ଟିମ ସାମିଲ ହେବା ଦ୍ୱାରା ୧୨ ହଜାର କୋଟି ଟଙ୍କା ରୋଜଗାର ହୋଇଛି । ଯାହା ବୋର୍ଡ ପାଇଁ ଭଲ ସଂକେତ । ଏବେ ଆଇପିଏଲ ୨୦୨୨ ସିଜିନରୁ ମିଡିଆ ରାଇଟସ ବାବଦକୁ ୪୦ ହଜାର କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି ବିସିସିଆଇ । ଆଉ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗାଙ୍ଗୁଲି ।
ଏବେ ବିସିସିଆଇ ଆଇପିଏଲ ମିଡ଼ିଆ ରାଇଟସ ବାବଦକୁ ୧୬,୩୪୭ କୋଟି ଟଙ୍କା ରୋଜଗାର କରୁଛି । ଏବେ ଆଗାମୀ ୫ ବର୍ଷ ଅଥାର୍ତ ୨୦୨୩ରୁ ୨୦୨୭ ଯାଏଁ ମିଡ଼ିଆ ରାଇଟସ ବିକିବାକୁ ଟେଣ୍ଡର ପ୍ରକ୍ର୍ରିୟା ଆରମ୍ଭ ହେବ । ତେବେ ଚଳିତଥର ଏହି ମିଡ଼ିଆ ରାଇଟସ ବାବଦକୁ ୩ ଗୁଣା ଅଧିକ ରୋଜଗାର କରିବା ଆଶାରେ ରହିଛି ବିସିସିଆଇ । ମିଡ଼ିଆ ରାଇଟସ ଓ ନୂଆ ଟିମ୍ ବାବଦକୁ ବିସିସିଆଇ ଯେଉଁ ୫୦ ହଜାର କୋଟି ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି ତାହା ଭାରତୀୟ କ୍ରିକେଟକୁ ନୂଆ ରୂପରେ ସାମ୍ନାକୁ ଆଣିବ । ଏହି ଟଙ୍କା ବଳରେ ଭାରତୀୟ କ୍ରିକେଟ ଏକ ନୂଆ ପରିଚୟ ପାଇବ ।