ଆଜିର ଦିନରେ ୩୧୮ ରନର ପାର୍ଟନରସିପ୍ ଗଢିଥିଲେ ଗାଙ୍ଗୁଲି-ଦ୍ରାବିଡ୍ । କ୍ରିକେଟ୍ ଇତିହାସରେ ରଚିଥଲେ ବିରଳ ରେକର୍ଡ ।

243

କନକ ବ୍ୟୁରୋ: ୯୦ ଦଶକରେ ଯେତେବେଳେ କ୍ରିକେଟ କଥା ଉଠେ, ସେତେବେଳେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକରଙ୍କ ନାଁ ଆଗ ଆସୁଥିଲା । କାରଣ ଗୋଟିଏ ସମୟ ଥିଲା ଯେତେବେଳେ ଏହି ଭାରତୀୟ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦବଦବା ରଖିଥିଲେ । ବିପକ୍ଷ ଦଳକୁ ଧୂଳି ଚଟାଇବାର ଦକ୍ଷତା ରଖୁଥିଲେ ଏହି ଖେଳାଳିମାନେ । ତେବେ ଆଜି ଆମେ ଏମିତି ଏକ ମ୍ୟାଚ କଥା କହିବୁ ଯେଉଁଥିରେ ଦ୍ରାବିଡ ଆଉ ଗାଙ୍ଗୁଲିଙ୍କ ଜଲୱା ଦେଖିବାକୁ ମିଳିଥିଲା । ଆଉ ଏହି ଦୁଇ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ରଚିଥିଲେ ବିରଳ ରେକର୍ଡ ।

୧୯୯୯ ମସିହା କ୍ରିକେଟ ବିଶ୍ୱକପ କଥା । ମେ ୨୬ ତାରିଖ, ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥାଏ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ । ଆଉ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ । ଆରମ୍ଭରୁ ସଦାଗୋପନ ରମେଶଙ୍କ ୱିକେଟ ଭାରତକୁ ବଡ ଝଟକା ଦେଇଥିଲା । ହେଲେ ପ୍ରଥମ ୱିକେଟରେ ଗାଙ୍ଗୁଲିଙ୍କ ସହ ଯୋଗ ଦେଇଥିଲେ ରାହୁଲ ଦ୍ରାବିଡ ।

ଏବେ ଆରମ୍ଭ ହୋଇଥିଲା ଅସଲି ମ୍ୟାଚ । ଚାରିଆଡେ ଖାଲି ଛକା ଚୌକାର ବର୍ଷା । ନିଜର ବିସ୍ଫୋରକ ବ୍ୟାଟିଂରେ ଶ୍ରୀଲଙ୍କା ଦଳକୁ ପାଣି ପିଆଇ ଦେଇଥିଲେ ଗାଙ୍ଗୁଲି-ଦ୍ରାବିଡ । ୪୫ ଓଭର ଯାଏଁ ପୂରା ଶ୍ରୀଲଙ୍କା ଦଳର ନିଦ ହଜାଇ ଦେଇଥିଲେ ଏହି ଦୁଇ ଖେଳାଳି । କାହାକୁ କେମିତି ବୋଲିଂ କରିବେ ବୁଝି ପାରୁନଥିଲେ ଶ୍ରୀଲଙ୍କା ବୋଲର । କାରଣ ଉଭୟ ବ୍ୟାଟ୍ସମ୍ୟାନ ପୂରା ଫର୍ମରେ ରହିଥାନ୍ତି । ଆଉ ଏଭଳି ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ବିରଳ ରେକର୍ଡ ସୃଷ୍ଟି କରିଥିଲେ ଦ୍ରାବିଡ-ଗାଙ୍ଗୁଲି ।

୪୫ ଓଭର ବେଳକୁ ୧୪୫ ରନ କରି ରାହୁଲ ଦ୍ରାବିଡ ଆଉଟ ହୋଇଯାଇଥିଲେ । ଆଉ ସେତବେଳକୁ ଭାରତର ସ୍କୋର ଥାଏ ୩୨୪ ରନ । ୩୧୮ ରନର ପାର୍ଟନରସିପ କରି ଦ୍ରାବିଡ ଆଉ ଗାଙ୍ଗୁଲି ଦିନିକିଆ କ୍ରିକେଟ ଇତିହାସରେ ସୃଷ୍ଟି କରିଥିଲେ ଏଭଳି ରେକର୍ଡ । ପୂର୍ବରୁ କୌଣସି ଖେଳାଳି ଏତେ ରନର ପାର୍ଟନରସିପ କରିନଥିଲେ । ଯାହା ଏହି ଦୁଇ ଭାରତୀୟ ଖେଳାଳି କରି ଦେଇଖାଇଥିଲେ । ବଡ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଦଳ ଏଥିରେ ବିଫଳ ହୋଇଥିଲା । ଆଉ ଏହି ମ୍ୟାଚରେ ଭାରତ ୧୫୭ ରନରେ ବିଜୟୀ ହୋଇଥିଲା । ଭାରତର ବିଜୟ ସହ ଦ୍ରାବିଡ-ଗାଙ୍ଗୁଲିଙ୍କ ଏହି ରେକର୍ଡ କ୍ରିକେଟ ଇତିହାସରେ ଆଜି ଯାଏଁ ଲିପିବଦ୍ଧ ହୋଇ ରହିଛି ।