କାଲି ଗିରଫ ଆଜି ଏନକାଉଣ୍ଟର । ସକାଳୁ ସକାଳୁ ଉତ୍ତରପ୍ରଦେଶରୁ ଆସିଲା ବଡ ଖବର, ପୋଲିସ ଗୁଳିରେ ଚାଲିଗଲା ଗ୍ୟାଙ୍ଗଷ୍ଟର ବିକାଶର ଜୀବନ ।

255

କନକ ବ୍ୟୁରୋ : ଆଜି ସକାଳେ ଉତରପ୍ରଦେଶ ପୁଲିସ ସାରା ଦେଶକୁ ଚମକାଇ ଦେଲା । ସକାଳୁ ସକାଳୁ ଖବର ଆସିଲା, ଯେ ୮ ପୁଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଁଟର କରିଦେଇଛି ୟୁପି ପୋଲିସ । କୁହାଗଲା, ବିକାଶ ଦୁବେକୁ ୟୁପି ଅଣାଯାଉଥିବା ବେଳେ ସେ ଖସିଯିବା ପାଇଁ ଉଦ୍ୟମ କରିଥିଲା । ତାକୁ ଧରିବା ପାଇଁ ଗୁଳି ଚଳାଇଥିଲା ପୁଲିସ । ଆଉ ହସ୍ପିଟାଲ ପହଂଚିବା ପୂର୍ବରୁ ତାର ମୃତ୍ୟୁ ହୋଇ ସାରିଥିଲା । ଏତେବଡ ହତ୍ୟାକାରୀକୁ ପୁଲିସ ଗୁଳିକରି ମାରିବାକୁ ଅନେକ ସ୍ୱାଗତ ମଧ୍ୟ କରିଛନ୍ତି, ହେଲେ ତାକୁ ଗୁଳି କରିବା ମାରିବା ଦ୍ୱାରା ତାର ପଲିଟିକାଲ ଲିଙ୍କ ଲୁଚି ଯିବା ନେଇ ଚର୍ଚ୍ଚା ହେଉଛି । କାନପୁରରେ କୋର୍ଟ ପହଂଚିବା ପୂର୍ବରୁ ପୋଲିସ ଗୁଳିଲେ ଟଳିପଡିଲା କୁଖ୍ୟାତ ଅପରାଧୀ ବିକାଶ ଦୁବେ । ୮ ପୋଲିସ କର୍ମଚାରୀଙ୍କ ହତ୍ୟାର ଅଭିଯୁକ୍ତକୁ ଏନକାଉଂଟର କରିଛି କାନପୁର ଏସଟିଏଫ ।

ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେର ଏନକାଉଂଟର ହୋଇଛି ବିଲକୁଲ ବଲିଉଡ ଫିଲ୍ମ ଷ୍ଟାଇଲରେ । ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଏହି ଗ୍ୟାଙ୍ଗଷ୍ଟରର ପୋଲିସ ଗୁଳିରେ ପ୍ରାଣ ଯିବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା । କାରଣ ଅତି ନାଟକୀୟ ଢଙ୍ଗରେ ପୋଲିସର ଗାଡି ପଲଟିଗଲା । ବିକାଶ ଦୁବେ ପୋଲିସର ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା । ପୋଲିସ ଆତ୍ମସମର୍ପଣ ପାଇଁ କହିଲା, ହେଲେ ସେ ପୋଲିସ ଉପରକୁ ଗୁଳିକଲା । ଆଉ ଜବାବରେ ପୋଲିସ ତାକୁ ଏନକାଉଣ୍ଟର କଲା । ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେର ମୃତ୍ୟୁ ଉପରେ ହୁଏତ କେହି ପ୍ରଶ୍ନ ଉଠାଉ ନାହାନ୍ତି । ହେଲେ ଯେଭଳି ବିକାଶ ଦୁବେକୁ ଏନକାଉଣ୍ଟର କରାଗଲା, ତାହା ଅତି ନାଟକୀୟ ମନେ ହେଉଛି । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାଙ୍ଗରେ ଧରି ପୋଲିସ କାନପୁର ଆସୁଥିଲା । ଉଜୈନରୁ ପୋଲିସର ଏକାଧିକ ଗାଡି ଏହି କୁଖ୍ୟାତ ଅପରାଧୀକୁ ଧରି ରାତିତମାମ ଚାଲିଥିଲା । ସକାଳୁ ସକାଳୁ ଉତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କଫୋର୍ସ- ଏସଟିଏଫ ଟିମ୍ କାନପୁରରେ ପହଂଚିବାକୁ ଆହୁରି ବାକିଥିଲା । ଜୋରଦାର ବର୍ଷା ହେଉଥିଲା । ଆଉ ଏତିକିବେଳେ କାନପୁର ସୀମା ନିକଟ ସାଚେନ୍ଦିରେ ବିକାଶ ଦୁବେ ବସିଥିବା ପୋଲିସ ଗାଡି ଓଲଟିଗଲା । ଦୁର୍ଘଟଣାରେ ବିକାଶ ଦୁବେ ଓ ପୋଲିସକୁ ଆଘାତ ଲାଗିଥିଲା । ତଥାପି ବିକାଶ ପୋଲିସଠାରୁ ବନ୍ଧୁକ ଛଡାଇ ଖସି ପଳାଇଯିବାକୁ ପ୍ରୟାସ କଲା । ଅନ୍ୟ ଗାଡିରେ ଥିବା ପୋଲିସ କର୍ମଚାରୀ ତାକୁ ଚାରିପଟୁ ଘେରିଗଲେ । ବନ୍ଧୁକ ତଳେ ରଖି ଆତ୍ମସମର୍ପଣ କରିବା ପାଇଁ କୁହାଗଲା । ହେଲେ ସେ ପୋଲିସ ଉପରକୁ ଗୁଳି କରିବାରୁ, ଅନ୍ଧାଧୁନ ଗୁଳିମାଡ କଲେ ପୋଲିସ କର୍ମଚାରୀ ।

ହେଲେ ଏହି ପୁରା ଏନକାଉଂଟର ଉପରେ ସନ୍ଦେହ ସୃଷ୍ଟି କରୁଛି ୟୁପି ପୋଲିସ ଏସଟିଏଫର କାର୍ଯ୍ୟଶୈଳୀ । କାରଣ ବିକାଶ ଦୁବେକୁ ନେଇ ଆସୁଥିବା ଗାଡି ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ କାନପୁର ସୀମା ଭିତରକୁ ପଶିଲାବେଳେ ବ୍ୟାପକ ନାକାବନ୍ଦୀ କରି ଅନ୍ୟ ଘରୋଇ ଗାଡିଗୁଡିକୁ ସୀମାରେ ଅଟକାଇ ଦିଆଯାଇଥିଲା । ମିଡିଆ ଗାଡିକୁ ମଧ୍ୟ କାନପୁର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ହେଲେ ଏହାର ଅଧଘଂଟାରୁ ୪୦ ମିନିଟ ଭିତରେ ପୂରା ଘଟଣା ଘଟିସାରିଥିଲା । ଅର୍ଥାତ ଏହି ସମୟରେ ପୋଲିସ ଗାଡି ଓଲଟିଲା ଓ ବିକାଶ ଦୁବେ ଖସିଯିବାକୁ ଉଦ୍ୟମ କଲାବେଳେ ତାକୁ ଏନକାଉଂଟର କରାଗଲା । ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଖେଳ ଶେଷ କାରିଥିଲା ୟୁପି ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.