ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ ।

1,065

କନକ ବ୍ୟୁରୋ: ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଲା ଗ୍ୟାଙ୍ଗଷ୍ଟର । ତାକୁ ଓ ସହଯୋଗୀଙ୍କୁ ଉଠାଇନେଲା ପୋଲିସ୍ । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଫସିଛି ଗ୍ୟାଙ୍ଗଷ୍ଟର ସେକ ସକିଲ । ସକିଲ ଓ ତାର ୫ ଜଣ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ଅନ୍ୟ କିିଛି ବେଆଇନ ସାମଗ୍ରୀ ଜବତ ହୋଇଛି ।

ଚୌଦ୍ୱାର ଜେଲରେ ଥିବା ସମୟରେ ୨୦୧୯ ଡିସେମ୍ବରରେ ସକିଲ କଟକର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଥିଲା ଦରଘାବଜାର ଥାନା ପୋଲିସ୍ । ସେହିଭଳି ୨୦୨୦ ମାର୍ଚ୍ଚରେ ଦରଘାବଜାରରେ ଥିବା ଜଣେ ବ୍ୟବସାୟୀଙ୍କୁ ଭିଡିଓ କଲରେ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ଗ୍ୟାଙ୍ଗଷ୍ଟର । ଏହାକୁ ଦେଖି ଜେଲ କର୍ତୃପକ୍ଷ ତାକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ପୁଣରି ତାକୁ ଚୌଦ୍ୱାର ଜେଲ ଅଣାଯାଇଥିଲା ।

ତେବେ ନିକଟରେ ଜାମିନରେ ମୁକୁଳିଥିଲା ଏହି ଗ୍ୟାଙ୍ଗଷ୍ଟର ଜଣକ, ଆଉ ଜେଲରୁ ମୁକୁଳିବା ପରେ ପୁଣି ଦାଦାବଟି ଆଦାୟ କରିବାକୁ ଧମକଚମକ ଦେଉଥିଲା । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ସକିଲ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । କ୍ୟାଟନମେଂଟ ଥାନାରେ ୮ଟି, ମଙ୍ଗଳାବାଗ ଥାନାରେ ୬ଟି, ମାଲଗୋଦାମ ଥାନାରେ ୪ଟି, ଦରଘାବଜାର ଥାନାରେ ୨ଟି, ସଦର ଥାନାରେ ୩ଟି, ମଧୁପାଟଣା ଓ ପୁରୀଘାଟ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି ।