ଗିରଫ ହେଲା ଗ୍ୟାଙ୍ଗଷ୍ଟରର ଗାର୍ଲଫ୍ରେଣ୍ଡ । ଜେଲ ଭିତରକୁ ଯାଇ ଯୋଗାଇ ଦେଉଥିଲେ ମୋବାଇଲ ଫୋନ୍, ଦାଦାବଟି ଆଦାୟରେ କରୁଥିଲେ ସହଯୋଗ ।

604

କନକ ବ୍ୟୁରୋ : କଟକର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡକୁ ଗିରଫ କଲା କମିସନରେଟ୍ ପୋଲିସ । ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଅଛି ମହମ୍ମଦ ସକିଲ୍ । ବାହାରେ ରହି ପ୍ରେମିକା ନସରିନ୍ ପ୍ରସ୍ତୁତ କରୁଥିଲା ଦାଦାବଟିର ନୀଳନକ୍ସା । ପୋଲିସ ଜାଣିବାକୁ ପାଇଛି, ଜେଲ ଭିତରେ ଥିବା ସକିଲକୁ ମୋବାଇଲ୍ ଫୋନ ଯୋଗାଇ ଦେଉଥିଲା ନସରିନ୍ । ଏହା ସହ ସକିଲର ଅପରାଧ ସାମ୍ରାଜ୍ୟରେ ପ୍ରମୁଖ ଭୂମିକା ତୁଲାଉଥିଲା ତା’ର ପ୍ରେମିକା । ଭିଡିଓ କଲ୍ କରି ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଗିରଫ ହେଲା ସକିଲର ଗାର୍ଲଫେଣ୍ଡ । ଗାଙ୍ଗଷ୍ଟରକୁ ସହଯୋଗ କରୁଥିଲା ନସରିନ୍ । ଚୌଦ୍ୱାର ଜେଲ ଭିତରେ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ଜେଲ ବାହାରେ ନସରିନ୍ ଖାନ୍ । ଦୁଇ ଜଣ ମିଶି ରଚୁଥିଲେ ଅପରାଧର ବ୍ଲୁ-ପ୍ରିଂଟ । ସକିଲକୁ ବାରମ୍ବାର ଜେଲରେ ଭେଟୁଥିଲା ତା’ର ଗାର୍ଲଫେଣ୍ଡ । ଯୋଗାଇ ଦେଉଥିଲେ ମୋବାଇଲ ଫୋନ୍ । ଆଉ ଦେଉଥିଲା ବ୍ୟବସାୟୀ ଓ ବଡ଼ ବଡ଼ ଲୋକଙ୍କ ସୂଚନା । ଚୌଦ୍ୱାର ସର୍କଲ ଜେଲ ଭିତରୁ ଭିଡିଓ କଲ୍ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା ସକିଲ୍ ।

ଏ ହେଉଛି, ଜେଲ ଭିତରେ ବିଚାରାଧିନ କଏଦୀ ଭାବେ ଥିବା ହାର୍ଡକୋର ଅପରାଧୀ ମହମ୍ମଦ ସକିଲ । କଟକ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓ କଲ୍ କରି ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା ସକିଲ । ନହେଲେ ଗୁଳି ମାରି ଉଡ଼ାଇ ଦେବାକୁ ଦେଇଥିଲା ଧମକ । ଏନେଇ ଥାନାରେ ଫେରାଦ ହେବା ପରେ ସକିଲର ସହଯୋଗୀ ଟାଇଗର ସମେତ ୫ ଜଣଙ୍କୁ ଗିରଫ କରିଥିଲା କମିସନରେଟ୍ ପୋଲିସ । ତେବେ ଏହି ଅପରାଧର ଚେର୍ ଖୋଜୁ ଖୋଜୁ ସକିଲର ଗାର୍ଲଫେଣ୍ଡ ନସରିନ୍ ଖାନଙ୍କ ନିକଟରେ ପହଁଚିଥିଲା ପୋଲିସ । ଖୋଳତାଡ଼ରୁ ଜଣାପଡିଛି, ସକିଲ୍ ଗ୍ୟାଙ୍ଗକୁ ଚୋରା ବନ୍ଧୁକ ଦେବା ଠାରୁ ଆରମ୍ଭ କରି ଜେଲକୁ ମୋବାଇଲ ପହଁଚାଇବା ପର୍ଯ୍ୟନ୍ତ ସବୁଥିରେ ରହିଛି ନସରିନଙ୍କ ହାତ ।

ଜେଲ ଭିତରୁ ଭିଡିଓ କଲ୍ କରି ବଟି ମାଗିବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଥିଲା । ଏନେଇ ସତର୍କ ରହିବାକୁ ଜେଲ୍ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ । ସକିଲର ଗାର୍ଲଫେଣ୍ଡ ଗିରଫ ହୋଇଥିବା ବେଳେ ଅପରାଧର ଏହି ପୂରା ପ୍ରକ୍ରିୟା ଭିତରେ ଜେଲ୍ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି ।