ଆଂଟିଜେନ୍ ପରେ ଆରଟିପିସିଆର ଟେଷ୍ଟରେ ବି ହାଇଦର କରୋନା ପଜିଟିଭ : ଚୌଦ୍ୱାର ଜେଲରେ ସଙ୍ଗରୋଧରେ ଅଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର

119

କନକ ବ୍ୟୁରୋ : ପୋଲିସର ହୋସ ଉଡାଇ ଦେଇଛି ହାଇଦର । ୧୨୦ ଘଂଟାର ଅପରେସନ ହାଇଦରକୁ ସଫଳତା ମିଳିଛି ସହ, ହେଲେ ଗ୍ୟାଙ୍ଗଷ୍ଟର ହାଇଦର କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ପୋଲିସର ନିଦ ହଜି ଯାଇଛି । କଟକ ବଡ ମେଡିକାଲରୁ ହାଇଦର ଫେରାର ହୋଇ ଧରା ପଡିବା ଯାଏଁ ପୋଲିସ ଆଖିକୁ ନିଦ ନଥିଲା । ଏବେ ପୁଣି ହାଇଦରର ଆଂଟିଜେନ୍ ରିପୋର୍ଟ ପରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିିଛି । ଚୌଦ୍ୱାର ଜେଲରେ ଏବେ ସଙ୍ଗରୋଧରେ ଅଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ।

ତେବେ କୋର୍ଟ ଅନୁମତି ଥିଲେ ବି ଏବେ ରିମାଣ୍ଡର ଆଣି ପଚରାଉଚରା କରିବନି ପୋଲିସ । ଗତକାଲି ତାକୁ ତେଲେଙ୍ଗାନାରୁ ଆଣିବା ପରେ କଟକ ଏସଡିଜେଏମ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସ । ଏହାପରେ ଚୌଦ୍ୱାର ଜେଲରେ ରଖାଯାଇଛି । ହେଲେ କରୋନା ପଜିଟିଭ ଜଣାପଡିବା ପରେ ହାଇଦରକୁ ଆଇସୋଲେସନ ସେଲରେ ରଖିଥିବା ସୂଚନା ମିଳିଛି । ଗତକାଲି କମିଶନରେଟ ପୋଲିସ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ଏସଡିଜେଏମ କୋର୍ଟ । ହାଇଦର କରୋନା ଆକ୍ରାନ୍ତ ଥିବାରୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ ।