ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ବନିଥିଲା ହାଇଦର । ସାଜିଥିଲା ଅପରାଧ ଜଗତର ଦୁର୍ଦ୍ଦାନ୍ତ ଅପରାଧୀ । ଆଜି ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ।

361

କନକ ବ୍ୟୁରୋ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର  ନବେ ଦଶକରେ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଥିଲା । ତେବେ ରିକ୍ସା ଟାଣି ପେଟ ପୋଷୁଥିବା ହାଇଦର ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ଗ୍ୟାଙ୍ଗ ତିଆରି କରି ପାଲଟି ଯାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ।

କେନ୍ଦ୍ରାପଡା ସହରର ୧୩ ନମ୍ବର ୱାର୍ଡ, ରଣପଡାରେ ହାଇଦରର ଘର । ଛୋଟବେଳେ ବେଶ ନିରୀହ ପ୍ରକୃତିର ଥିଲା ଏହି କୁଖ୍ୟାତ ଅପରାଧି । ମାତ୍ର ୧୬ ବର୍ଷ ବୟସରେ ପଡିଶା ଘର ସହ ଗଣ୍ଡଗୋଳ କରି ପ୍ରଥମେ ଗିରଫ ହୋଇଥିଲା । ତାପରେ ସେ ଧିରେ ଧିରେ ଛୋଟ ମୋଟ ଅପରାଧ କରି ପୋଲିସର ଟାର୍ଗେଟକୁ ଆସିଥିଲା । ତଥାପି ରିକ୍ସା ଚଳାଇ ଦିପଇସା ରୋଜଗାର କରି ପରିବାର ପୋଷୁଥିଲା  । ପରେ ଟ୍ରେକର ଓ ଟ୍ରକ ଚଳାଇ ପରିବାର ଚଳାଇଥିଲା । କିନ୍ତୁ ୧୯୮୦ ପରବର୍ତ୍ତୀ ସମୟରେ ସେ ଅପରାଧ ଦୁନିଆଁରେ ସମ୍ପୂର୍ଣ୍ଣ ପାଦ ଦେଇଥିଲା ।

ନବେ ଦଶକରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡରୁ ଆରପଟକୁ ଯିବା ପାଇଁ ଗୋବରୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରୁ କେନ୍ଦ୍ରାପଡାରେ ଗଢ଼ି ଉଠିଥିଲା ଗ୍ୟାଙ୍ଗ ।  ସେହି ସମୟରେ ଏହି ପୋଲ ରବିନ ବେହେରା ନାମକ ଜଣେ ଅପରାଧୀ ନିୟନ୍ତ୍ରଣରେ ରହୁଥିଲା । ସେ ଏକ ମର୍ଡର କେସରେ ଫସି ଜେଲ ଯାଇଥିଲା । ଜେଲରୁ ଫେରିବା ପରେ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ରବିନ ସହିତ ମିଶିଥିଲା । ତାପରେ ରବିନ-ଟିଟୋ- ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ ।

୧୯୮୯ରେ ଡକାୟତି ଟଙ୍କା ଭାଗବଣ୍ଟାକୁ ନେଇ ଟିଟୋ ଓ ରବିନ ଭିତରେ ଗଣ୍ଡଗୋଳ ହୋଇଥିଲା । ଟିଟୋ – ସୋଲେମାନ ଅଲଗା ଗ୍ୟାଙ୍ଗ ଗଢ଼ିଥିଲେ । ଟିଟୋ ସହ କିଛି ସୋଲେମାନ କ୍ୟାସେଟ ବ୍ୟବସାୟ କରିଥିଲା । ସେହି ସମୟରେ ବୁଲା ସେଠୀ ଓ ସୋଲେମାନ ମିଶି ରବିନଙ୍କୁ ହତ୍ୟା କରିଥିଲେ । ତାପରେ ଟିଟୋ – ସୋଲେମାନ ଓ ବୁଲା ସେଠୀ ଗ୍ୟାଙ୍ଗ ବେଶ ପ୍ରଭାବଶାଳୀ ହୋଇଯାଇଥିଲେ । ଏଭଳି ସମୟରେ ୧୯୯୧ରେ ହାଇଦର ସହ ମିଶିଥିଲେ ରବିନର ସହଯୋଗୀ ବଣୁଆ ଓ ବାବୁ ସମେତ ଆଉ କିଛି ଅପରାଧୀ । ଏକାଠି ହେବାର କିଛିି ଦିନ ପରେ ହାଇଦର, ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳିମାଡ କରି ବୁଲା ସେଠୀକୁ ହତ୍ୟା କରିଥିଲେ ।

ବୁଲା ସେଠୀକୁ ହତ୍ୟା କରିବା ପରେ ହାଇଦରର ଅପରାଧ ସାମ୍ରାଜ୍ୟ ବଢ଼ି ବଢ଼ି ଚାଲିଥିଲା । ଧୀରେ ଧୀରେ ହାଇଦରର ଅପରାଧ ନେଟୱାର୍କ ସାରା ରାଜ୍ୟରେ ଗଢ଼ି ଉଠିଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ସୁଲେମାନ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲା ହାଇଦର । ୧୯୯୬ ବେଳକୁ କେନ୍ଦ୍ରାପଡାର ଗ୍ୟାଙ୍ଗୱାର ଶୀର୍ଷରେ ପହଁଚିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେ ସମୟରେ କେନ୍ଦ୍ରାପଡାର ଏସପି ଥିବା ସ୍ୱପ୍ନା ତିୱାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ହାଇଦରର ଗ୍ୟାଙ୍ଗ ରଣପଡାର ଏକ ଚା ଦୋକାନରେ ଚା ପିଉଥିବାବେଳେ ରିକ୍ସାରେ ଆସି ଏନକାଉଁଣ୍ଟର କରିଥିଲେ ।

ଗୁଳି ବାଜିବା ପରେ ହାଇଦରକୁ ଗିରଫ କରିଥିଲା ପୋଲିସ । କିଛି ଦିନ ଜେଲରେ ରହିବା ପରେ ପୁଣି ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିଲା । ଟେଣ୍ଡର ଫିକ୍ସିଂ, ହତ୍ୟା, ରାହାଜାନୀ, ଅପହରଣ କରି ଖେଳାଇ ଦେଇଥିଲେ ଆତଙ୍କ । ଏହା ଭିତରେ ସୋଲେମାନ ସହ ବିବାଦ ହୋଇଥିଲା । ସୋଲେମାନର ସହଯୋଗୀମାନେ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଭାବେ ଆହତ ହୋଇଥିଲା ହାଇଦର । ହସପିଟାଲରୁ ଫେରିବା ପରେ ପୁଣି ଆରମ୍ଭ କରି ଦେଇଥିଲା ଅପରାଧ । ଆଉ ବନି ଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ।