କଟକ ଡିସିପି ଅଫିସରେ ହାଇଦର : ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିଶନରେଟ ପୋଲିସ; ଖୋଲିବ ଫେରାର ପଛର ଗୁମର

97

କନକ ବ୍ୟୁରୋ : ଓଡ଼ିଶା ଫେରିଲା କୁଖ୍ୟାତ ଅପରାଧୀ ହାଇଦର । ବିମାନବନ୍ଦରରେ ପହଂଚିବା ପରେ ତାକୁ କଡ଼ା ସୁରକ୍ଷା ଭିତରେ କଟକ ନିଆଯାଇଛି । ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଖୋଲିବ ଫେରାର ପଛର ଗୁମର  । କୁଖ୍ୟାତ ଫେରାର ଅପରାଧୀ ହାଇଦରକୁ ଗତକାଲି ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ସ୍ଥାନୀୟ ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା ।

ତେଲେଙ୍ଗାନା ପୁଲିସ ସହାୟତାରେ କମିଶନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଛି । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୁଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୁଳିସ । ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ହାଇଦ୍ରାବାଦ ସିଟି ପୁଲିସର ଟାସ୍କଫୋର୍ସ ସମେତ ତେଲେଙ୍ଗାନାର କିଛି ପୁଲିସ ଟିମ୍ ସହାୟତା କରିଥିଲେ ।  ହାଇଦର  ଗତ ୧୦ ତାରିଖରେ  କଟକ ଏସସିବିରୁ ଫେରାର ହେବା ପରେ ତାର ଗତିବିଧି ଉପରେ କଡା ନଜର ରଖାଯାଇଥିଲା ।

ତାକୁ ଧରିବା ପାଇଁ କଟକ ସିଟି ପୁଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା ।  ଧରାପଡିବା ପରେ କଟକ  ପୁଲିସ ହାଇଦରକୁ ଚିହ୍ନଟ କରିଛି  ବୋଲି ପୁଲିସ କମିଶନର କହିଛନ୍ତି ।  ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁରର ୬ ଜଣ ସୁରକ୍ଷା କର୍ମୀଙ୍କ ହେପାଜତରେ ହାଇଦରକୁ ଚିକିତ୍ସା ପାଇଁ କଟକ ନିଆଯାଇଥିଲା । କଟକ ମେଡିକାଲରେ ଥିବାବେଳେ ୧୦ ତାରିଖରେ ସୁରକ୍ଷା କର୍ମୀଙ୍କୁ ଅଚେତ କରି ସେ ଫେରାର ହୋଇଯାଇଥିଲା । ଏହା ପରେ ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଥିଲା କମିଶନରେଟ ପୁଲିସ ।

ଗୁରୁବାର ହାଇଦର ଗିରଫ କରିଛି ପୁଲିସ । ଓଡିଶାକୁ ଆଣିବା ପରେ ତାକୁ ପଚରା ଉଚରା କରାଯିବ । ସେ  କେମିତି ଫେରାର ହେଲା , କେଉଁ ବାଟ ଦେଇ ସେ ତେଲେଙ୍ଗାନା  ଯାଇଥିଲା, ତାଙ୍କୁ  ଏଥିରେ କିଏ ସହାୟତା କରିଥିଲା  ସେ ନେଇ ଜେରା କରାଯିବ ।