କୁଆଡେ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର, ପତା ପାଉନି ପୋଲିସ : ମହାକାଳପଡ଼ାର ଜମ୍ବୁ ଦୀପ ଦେଇ ମାଛ ଧରା ବୋଟରେ ବାଂଲାଦେଶ ଖସି ଯାଇଥିବା ସନ୍ଦେହ

448

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର‌୍‌ କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁଦ୍ବୀପରୁ ବଙ୍ଗୋପସାଗର ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍‌ ମାରିବା ଆଶଙ୍କା ଧୀରେଧୀରେ ମଜବୁତ ହେବାରେ ଲାଗିଛି। ଏଭଳି ଆଶଙ୍କାକୁ ନେଇ ଏବେ ପୁଲିସ ବି ଚିନ୍ତାରେ ପଡିଛି। ହାଇଦର‌୍‌ ବାଂଲାଦେଶରେ ପହଞ୍ଚିଗଲେ ତାକୁ କାବୁ କରିବା ଆଦୌ ସହଜ ହେବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।


ଜମ୍ବୁରୁ ବୋଟ୍‌ରେ ବାଂଲାଦେଶ ପହଞ୍ଚିବାକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ଲାଗିଥାଏ। ଏବେ ଶୁଣିବାକୁ ମିଳୁଛି ଯେ, ଜମ୍ବୁରେ ପୂର୍ବରୁ ହାଇଦର‌୍‌ ସହଯୋଗୀ ମାଛଧରା ବୋଟ୍‌ ସହ ସଜାଗ ହୋଇଥିଲେ। ହାଇଦର୍‌ ପହଞ୍ଚିବା ମାତ୍ରକେ ବାଂଲାଦେଶ ଅଭିମୁଖେ ଯାତ୍ରା କରିଥିଲେ। ଅନେକ ବାଂଲାଦେଶୀ ମତ୍ସ୍ୟଜୀବୀ ଜମ୍ବୁ ଆଖପାଖ ଅଞ୍ଚଳରେ ମାଛ ଧରିବାକୁ ଆସୁଥିବାରୁ ଏହି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏଭଳି ସ୍ଥିତିରେ ଓଡ଼ିଶା ପୁଲିସ ଟିମ୍‌ ଏବେ ବାଂଲାଦେଶ ଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ତେବେ, ହାଇଦରକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟର ହାଇଦର‌୍‌ ଆଜି ଦିନ ୧୨ଟା ୨୫ରେ କଟକ ରେଳ ଷ୍ଟେସନରୁ ପୁରୀ-ହାଓଡା ଧଉଳି ଏକ୍ସପ୍ରେସ୍‌ରେ କୋଲକାତା ଯାଉଥିବା ଏକ ଖବର ଆସିଥିଲା। କଟକ ଜିଆରପି ୧ ନମ୍ବର ପ୍ଲାଟଫର୍ମରେ ଧଉଳି ଏକ୍ସପ୍ରେସକୁ ପ୍ରାୟ ୨୦ ମିନିଟ୍‌ ଅଟକାଇ ଆରମ୍ଭ ଶେଷ ପର୍ଯ୍ୟନ୍ତ ପ୍ରାୟ ୨୦ଟି ବଗି ଯାଞ୍ଚ କରିଥିଲା। କିନ୍ତୁ ସେଥିରେ ସେଭଳି କେହି ସନ୍ଦିଗ୍ଧ ନଥିବା ଜଣାପଡ଼ିଥିଲା।

ଅନ୍ୟପଟେ, ଗ୍ୟାଙ୍ଗଷ୍ଟର‌୍‌ ହାଇଦର‌୍‌ କଟକ ବଡ଼ ଡାକ୍ତରଖାନା ସର୍ଜରି ଵାର୍ଡରେ ଯେଉଁ ବିରିଆନି ଖାଉଥିଲା, ବକ୍ସିବଜାର ପୁଲିସ ଡିଜି ଅଫିସ ନିକଟରେ ଥିବା ଦୁଇଟି ନିର୍ଦ୍ଦିଷ୍ଟ ଦୋକାନରୁ ନିୟମିତ ଆସୁଥିଲା। ହାଇଦର‌୍‌ର ପୁଅ ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ବିରିଆନି ଆଣୁଥିଲା। ଏହି ବିରିଆନି ହିଁ ହାଇଦର‌୍‌ ଡାକ୍ତରଖାନାର ତଳିଆ କର୍ମଚାରୀ ଓ ତାକୁ ଜଗିଥିବା ପୁଲିସ କର୍ମଚାରୀଙ୍କୁ ଦେଉଥିଲା। ହାଇଦର‌୍‌ ଓ ପୁଲିସ କର୍ମଚାରୀ ଗୋଟିଏ ବେଡ୍‌ରେ ବସି ବିରିଆନି ଖାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିବା ପରେ ପୁଲିସ ଓ ହାଇଦର‌୍‌ ଭିତରେ ଥିବା ଗଭୀର ସମ୍ପର୍କ ପୂରା ବ୍ୟବସ୍ଥାର ଦୁର୍ବଳ ଦିଗଟିକୁ ଧରା ପକାଇ ଦେଇଛି।

ଏହିଭଳି ଏକ ପରିସ୍ଥିତିରେ ନିଲମ୍ବିତ କନେଷ୍ଟବଳ ମୌସିମଙ୍କୁ ନେଇ ଆଉ ଏକ ଘଟଣା ସାମ୍‌ନାକୁ ଆସିଛି। ସମ୍ବଲପୁର ପୁଲିସ କନଷ୍ଟେବଳ ମହମ୍ମଦ ମୌସିମ୍‌କୁ ଗ୍ୟାଙ୍ଗଷ୍ଟର ହାଇଦର‌୍‌ ବଡ଼ ମେଡିକାଲ୍‌ରେ ବିରିଆନି ନୁହେଁ, ପାଣି କିମ୍ବା କୋଲଡ୍ରିଙ୍କସ୍‌ରେ ନିଶା ଦେଇଥିବା କୁହାଯାଉଛି। ତେବେ, ଶନିବାର ଦିନ ବିରିଆନି ନିଜେ ମୌସିମ୍‌ ହୋଟେଲ୍‌ରୁ କିଣି ଆଣିଥିଲେ। ସେଥିରେ ନିଶା ମିଶିବାର ସୁଯୋଗ ନଥିଲା। ବିରିଆନି ଖାଇସାରିଲା ପରେ ମୌସିମ୍‌ ଉଭୟ ପାଣି ଓ କୋଲଡ୍ରିଙ୍କସ୍‌ ପିଇଥିଲେ। ଦୁଇଟି ଭିତରୁ ଗୋଟିଏରେ ନିଶା ମିଶିଥିବା ପୁଲିସ ଆଜି ସ୍ପଷ୍ଟ ହୋଇଛି।

ହାଇଦର‌୍‌ ଭଳି ଗ୍ୟାଙ୍ଗଷ୍ଟରକୁ ଢିଲା ଛାଡ଼ି ଦେଇଥିବା ସମ୍ବଲପୁର ଜିଲ୍ଲା ଏସପିଙ୍କୁ ପୁଲିସ ଡିଜି ଅଭୟ ଆଜି ନୋଟିସ୍‌ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଖାମଖିଆଲ କାର୍ଯ୍ୟ ପୁଲିସ କଲା, ସେ ନେଇ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଡିଜି ନୋଟିସ୍‌ରେ ଦର୍ଶାଇଛନ୍ତି । ହାଇଦର‌୍‌ କଟକ ଆସିଥିବା ସମ୍ପର୍କରେ ସମ୍ବଲପୁର ପୁଲିସ କମିସନରେଟ୍‌ ପୁଲିସକୁ ଅନ୍ଧାରରେ ରଖିଥିଲା ।

ଅନ୍ୟପଟେ ଜଗତପୁର ପୀର ବଜାର ଅଞ୍ଚଳର ୟାକୁବ୍‌ ଓରଫ ସଲ୍ଲୁ ଖାଁ ୧୨ ତାରିଖରେ ପୁଲିସ ହେପାଜତକୁ ଆସିବା ପରେ ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ୟାକୁବ୍‌ କେବଳ ବାଲିଘାଟ ଓ ଠିକାକାମ ପାଇଁ ବଡ଼ ମେଡିକାଲ୍‌ ହାଇଦର‌୍‌କୁ ଭେଟିବାକୁ ଯାଉଥିବା କହୁଥିବାବେଳେ ପୁଲିସ କିନ୍ତୁ ଆଜି ଭିନ୍ନ ତଥ୍ୟ ସାମ୍‌ନାକୁ ଆଣିଛି। ହାଇଦର‌୍‌ ବଡ଼ ଡାକ୍ତରଖାନାରୁ ଫେରାର ପଛରେ ତା’ ପରିବାର ସଦସ୍ୟଙ୍କ ସମେତ ନିଜେ ୟାକୁବ୍‌ ବି ସାମିଲ ଥିବା ମଙ୍ଗଳାବାଗ ଥାନା ପୁଲିସ ସୂଚନା ଦେଇଛି।

ସୋମବାର ୟାକୁବ୍‌ ପୁଲିସ ହେପାଜତରେ ରହିବାରେ ଆଜି ୨୪ ଘଣ୍ଟା ହେଇଯାଇଥିବାରୁ ୟାକୁବ୍‌କୁ ପୁଲିସ ଗିରଫ ଦର୍ଶାଇ କୋର୍ଟଚାଲାଣ କରିଛି । ୭ ଦିନିଆ ରିମାଣ୍ତରେ ପୁଲିସ ତାକୁ ଆଜି ସନ୍ଧ୍ୟାରେ ଆଣି ପଚରାଉଚରା ଚଳାଇଛି। ୟାକୁବ୍‌ର ବୟାନ ଅନୁଯାୟୀ ପୁଲିସ ଏବେ ହାଇଦର‌୍‌ର ଧରମ ପୁଅ ଯୋବ୍ରା ରହେମାନ୍‌ ଛକରେ ରହୁଥିବା ଇସ୍ତିଆଜ୍‌କୁ ଖୋଜୁଛି। ୟାକୁବ୍‌ ସୋମବାର ପୁଲିସ ହେପାଜତକୁ ଆସିବା ପରେ ଇସ୍ତିଆଜ୍‌ ଫେରାର ହୋଇଯାଇଛି ।