କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଉଥିବାବେଳେ ଥାନାରେ ଏତଲା ଦେଇଛି ଏସକର୍ଟ ଟିମ୍ । ହାଇଦରକୁ ଏସକର୍ଟ କରି ନେଉଥିବା ପୋଲିସ ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏଫଆଇଆର ଦେଇଛନ୍ତି ଆଉ ଏଫଆଇଆର ଆଧାରରେ ରୁଜୁ ହୋଇଛି ମାମଲା ।

Advertisment

ଏଫଆଇଆର ଅନୁସାରେ ଜୁଲାଇ ୨୪ ତାରିଖ ଦିନ ୧୧ଟା ୫୫ମିନିଟରେ ହାଇଦରକୁ ସ୍ଥାନାନ୍ତର କରିବାକୁ ଚୌଦ୍ୱାର ଜେଲରେ ପହଞ୍ଚିିଥିଲା ଏସକର୍ଟ ଟିମ । ଆଉ ମଧ୍ୟାହ୍ନ ୧୨ଟା ୪୦ ମିିନିଟ୍ ବେଳକୁ ହାଇଦରକୁ ଏକ ସ୍ୱତନ୍ତ୍ର ଭ୍ୟାନରେ ଧରି ବାରିପଦା ଜେଲକୁ ବାହାରିଥିଲେ । ଅପରାହ୍ନ ୩ଟା ୨୦ ମିନିଟରେ ବାଲେଶ୍ୱର ସିମୁଳିଆ ନିକଟରେ ପହଞ୍ଚିଥିଲ ହାଇଦରକୁ ନେଉଥିବା ଏସକର୍ଟ ଟିମ୍ । ଏହି ସମୟରେ ପରିସ୍ରା ଯିବ ବୋଲି ଟିମର ନେତୃତ୍ୱ ନେଉଥିବା ଇନିସ୍ପେକ୍ଟର ଗଙ୍ଗାଧର ସାସେନିଙ୍କୁ କହିଥିଲା ହାଇଦର ।

ମାତ୍ର କେଇ ମାସ ତଳେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଥିବାରୁ , ସୁରକ୍ଷା ଦୃଷ୍ଟିରୁ ସିମୁଳିଆରେ ଅଟକିବାକୁ ଚାହିଁନଥିଲା ଏସକର୍ଟ ଟିମ୍ । କିନ୍ତୁ ପରିସ୍ରା ଯିବାକୁ ହାଇଦର ଜିଦ୍ କରିବାରୁ ସିିମୁଳିଆ ହନୁମାନ ମନ୍ଦିର ନିକଟରେ ଅଟକିଥିଲା ଏସକର୍ଟ ଟିମ୍ ଆଉ ପୁଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର । ଭ୍ୟାନରୁ ଓହ୍ଲାଇବାବେଳେ ତାର ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲି ଦେଇଥିଲେ ଗାର୍ଡ । ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲିଯିବା ପରେ ନିଜର ରୂପ ଦେଖାଇଥିଲା ହାଇଦର । ନିକଟରେ ଥିବା ଜଣେ ହାବିଲଦାରଙ୍କଠାରୁ ଏକେ-୪୭ ଛଡାଇ ନେଇଥିଲା ଆଉ ସେହି ବନ୍ଧୁକ ଦେଖାଇ ପୋଲିସକୁ ଗୁଳିମାରିଦେବାକୁ ଧମକାଇ ଥିଲା ।

ହାଇଦର ହିନ୍ଦିରେ କହିଥିଲା, ଏକ ବାର ମେଁ ଫେରାର ହୁଆ ଥା, ତୁମ ପୁଲିସବାଲା ମୁଝେ ହାଇଦ୍ରାବାଦ ସେ ପକଡଲିୟା । ଇସବାର ମେ ଫେରାର ହୁଙ୍ଗା କୋଇ ପୁଲିସ ବାଲା ମୁଝେ ପକଡ ନେହି ସକେଗା । ଏସକର୍ଟ ଟିମକୁ ଚେତାବନୀ ଦେଇ ହାଇଦର କହିଥିଲା, କୋଇ ମୁଝେ ପକଡନେ କେ ଲିୟେ ଆଗେ ବଢେଗା ତୋ ଗୋଲି ମାରଦୁଙ୍ଗା ।

ଏହି ସମୟରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ଏସଆଇ ଅସିତ ରଞ୍ଜନ ଜେନା କିନ୍ତୁ କୁଖ୍ୟାତ ଅପରାଧୀ ଏସକର୍ଟ ଟିମକୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା । ସ୍ଥିତିର ଗମ୍ଭୀରତାକୁ ଦେଖି ନିଜ ଆତ୍ମରକ୍ଷା, ଏସକର୍ଟ ଟିମର ସୁରକ୍ଷା ଓ ହାଇଦରକୁ ଅଟକାଇବାକୁ ଯାଇ ଏସଆଇ ଅସିତ ଜେନା ଗ୍ୟାଙ୍ଗଷ୍ଟରର ଅଣ୍ଟା ତଳକୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି କରିଥିଲେ । ସେପଟେ ହାଇଦର ନଇଁପଡି ପୁଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ପ୍ରଥମ ଗୁଳି ହାଇଦରର ବାମ ବାହୁରେ ବିଦ୍ଧ ହୋଇଯାଇଥିଲା । ଅନ୍ୟ ୨ଟି ଗୁଳି ହାଇଦରର ଛାତି ଓ ପେଟରେ ଫୁଟି ଯାଇଥିଲା । ଏହାପରେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର ।

ତେବେ ଏହି ଘଟଣାରେ ଏବେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଆଧାରରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ଓଏଚଆରସି । ଗୃହ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ସହ ପୁଲିସ ଡିଜି ଏବଂ କଟକ ଭୁବନେଶ୍ୱର ପୁଲିସ କମିଶନରଙ୍କୁ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ଓଏଚଆରସି । ପୂରା ଘଟଣା କଣ ଥିଲା, ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦେଶନାମାରେ କୁହାଯାଇଛି । ଏପରିକି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ଖବରକୁ ମଧ୍ୟ ରେକର୍ଡ ଭୁକ୍ତ କରିବାକୁ କହିଛନ୍ତି ରାଜ୍ୟ ମାନବାଧିକାର କମିଶନ ।