କନକ ବ୍ୟୁରୋ : ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଭୁବନେଶ୍ବର ଅଣାଗଲା । କଡା ସୁରକ୍ଷାରେ ବିମାନ ବନ୍ଦରରୁ କଟକ ନିଆଯାଉଛି । ଜେଏମଏଫସି କୋର୍ଟରେ ହାଜର କରିବା ପରେ, ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆସିଛି ହାଇଦର । ହାଇଦର ଜଣେ ପେସାଦାର ଓ ଫେରାର ଆସାମୀ ଥିବାରୁ ତାକୁ ହ୍ୟାଣ୍ଡକପ ପକାଇବା ପାଇଁ କୋର୍ଟଙ୍କ ଅନୁମତି ମିଳିଛି । ତାକୁ ଭୁବନେଶ୍ୱରରୁ କଟକକୁ ଅଣାଯାଉଛି । କଟକ କୋର୍ଟରେ ହାଜର କରାଯିବ । କଟକର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
କାଲି ତେଲେଙ୍ଗାନା ସଙ୍ଗାରେଡ୍ଡୀରେ ଗିରଫ ହୋଇଥିଲା ହାଇଦର । ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ହାଇଦ୍ରାବାଦ ସିଟି ପୁଲିସର ଏକ ସ୍ପେଶାଲ୍ ଟିମ୍ ସହାୟତାରେ କଟକ-କମିସନରେଟ୍ ପୁଲିସର ଦୁଇଟି ସ୍ବତନ୍ତ୍ର ଟିମ୍ ହାଇଦରକୁ ଧରିଛନ୍ତି ।
ହାଇଦର ତାର ଜଣେ ସହଯୋଗୀ ସହ ବାଇକରେ ଯାଉଥିବା ବେଳେ ତାକୁ ଗିରଫ କରାଯାଇଥିବା ପୁଲିସ ପ୍ରାରମ୍ଭିକ ସୂଚନା ଦେଇଛି । ପୁଲିସ ଟିମ୍ ୨୪ ଘଣ୍ଟା ଭିତରେ ହାଇଦରକୁ ଧରି ଓଡ଼ିଶାରେ ପହଞ୍ଚିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବରଠାରେ ସୂଚନା ଦେଇଛନ୍ତି । ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଗିରଫଦାରି କରାଯାଇଥିବା ସେ କହିଛନ୍ତି। ହାଇଦର ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି ।
ଗତ ୫ ଦିନ ଧରି ହାଇଦର ପୁଲିସର ନିଦ ହଜାଇ ଦେଇଥିଲା। ଏହାକୁ ନେଇ ପୁଲିସକୁ ଢେର୍ ଅପବାଦ ମୁଣ୍ଡାଇବାକୁ ପଡ଼ିଥିଲା। ତା ସତ୍ତ୍ବେ ପୁଲିସ ଟିମ୍ ମାତ୍ର ୪ଦିନ ଭିତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଛି। ଏହି ଘଟଣା ଓଡ଼ିଶା ପୁଲିସର ଦକ୍ଷତା ପ୍ରମାଣିତ କରିଛି । ଏଥିସହିତ କମିସନରେଟ ପୁଲିସର ଅକ୍ଳାନ୍ତ ପରିଶ୍ରମ ପରେ ‘ଅପରେସନ୍ ହାଇଦର’ ସଫଳ ହୋଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାଇଦରକୁ ତା’ ମଝିଆ ପୁଅ ଆଜାରୁଦ୍ଦିନ୍ କଟକ ବଡ଼ ମେଡିକାଲ୍ରୁ ବାଇକ୍ରେ ନେଇଥିଲା । ଭୁବନେଶ୍ବରରୁ ଖୋର୍ଦ୍ଧା ଭିତରେ ବାଇକରୁ ଓହ୍ଲାଇ କାରରେ ବସିଥିଲା । ଏହି କାରଟି ମଧ୍ୟ ତେଲେଙ୍ଗାନାରୁ ଜବତ କରାଯାଇଛି । ଆଜାରୁଦ୍ଦିନ୍ ସଙ୍ଗାରେଡ୍ଡିରେ ଥିବା ନିଜ ବନ୍ଧୁ ଘରେ ହାଇଦରକୁ ଲୁଚାଇ ରଖିଥିଲା । ଗୁରୁବାର ସନ୍ଧ୍ୟାରେ ହାଇଦର ସଙ୍ଗାରେଡ୍ଡି ଅଞ୍ଚଳରେ ଏକ ବାଇକ୍ରେ ଯାଉଥିବା ବେଳେ କଟକ କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ ହାଇଦ୍ରାବାଦ କମିସନରେଟ ପୁଲିସ ସହ ମିଶି ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ହାଇଦର ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ ତିନି ଜଣ କିଏ ସେମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।