ପୁଅର ଗାର୍ଲଫ୍ରେଣ୍ଡ ପାଇଁ ଫସିଗଲା ହାଇଦର । କେନ୍ଦ୍ରାପଡାର ବ୍ୟବସାୟୀଙ୍କଠାରୁ ଯୁବତୀଙ୍କ ଜରିଆରେ ୫ ଲକ୍ଷ ଟଙ୍କା ମାଗିଥିଲା ବଟି ।

ଫୋନକୁ ଟ୍ରାକ କରିବା ପରେ ଜଣାପଡିଗଲା ହାଇଦରର ଠିକଣା

740

କନକ ବ୍ୟୁରୋ: କୁହାଯାଏ ଚୋର ଯେତେ ଚାଲାକ ହେଲେ ବି କିଛି ନା କିଛି ସୁରାକ ଛାଡି ଛାଡିଥାଏ । ଆଉ ଏହି ସୁରାକକୁ ଆଧାର କରି ଅପରାଧୀ ନିକଟରେ ପହଁଚିଯାଇଥାଏ ପୁଲିସ । ଠିକ୍ ସେହିଭଳି ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଏସସିବି ମେଡିକାଲରୁ ଖସି ଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଣି ଥରେ ପୁଲିସ ପଞ୍ଝାରେ ପଡିଯାଇଛି ।

କଟକ ବଡ ଡାକ୍ତରଖାନାରୁ ଫେରାର ହେବା ପରେ ହାଇଦର, କେନ୍ଦ୍ରାପଡାର ଏକ ଗାଡି ସୋ ରୁମର ମାଲିକଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ଧମକ ଦେଇଥିଲା । ହାଇଦରର ଏହି ଧମକପୂର୍ଣ୍ଣ ବାର୍ତା ଜଣେ ଯୁବତୀଙ୍କ ମାଧ୍ୟମରେ ସୋ ରୁମ ମାଲିକ ପାଖରେ ପଂହଚିଥିଲା । ଯୁବତୀଜଣକ ହାଇଦରକୁ ଏହି ଟଙ୍କା ଦରକାର ବୋଲି ରୋକଠୋକ ଜଣାଇଦେଇଥିଲା । ପୁଲିସ ଏହି ଖବର ପାଇବା ପରେ ଯୁବତୀ ଜଣକୁ ଟାର୍ଗେଟ କଲା । ଯୁବତୀଙ୍କ ଫୋନକଲକୁ ପୁଲିସ ନିଜ ଫୋନକୁ ଡାଇଭର୍ଟ କଲା । ଏହାପରେ ହାଇଦରର ସିଧା କଥାବାର୍ତା ଶୁଣିପାରିଲା ପୁଲିସ । ଆଉ ହାଇଦରର ଠିକଣା ସହଜରେ ଜଣାପଡିଗଲା ।

ବଡ ମେଡିକାଲରୁ ଫେରାର ହେବା ପରେ ହାଇଦରକୁ ଟଙ୍କାର ଆବଶ୍ୟକତା ଥିଲା । କାରଣ ସେ ଦୂର ଜାଗାକୁ ଯାଇ ଡେରା ବସାଇବାକୁ ଯୋଜନା କରୁଥିଲା । ଆଉ ସହଜ ଟାର୍ଗେଟ ଥିଲା କେନ୍ଦ୍ରାପଡାର ବ୍ୟବସାୟୀ । କିନ୍ତୁ ହାଇଦର ଜାଣିନଥିଲା ଏହି ଦାଦାବଟି ତାର ସବୁ ଯୋଜନା ଉପରେ ପାଣି ପକାଇଦେବ ।

ଏବେ ହାଇଦର ମାମଲାରେ ୩ ଜଣ ଯୁବତୀ ପୁଲିସ କବଜାରେ ଅଛନ୍ତି । ଏମାନଙ୍କର ଭୂମିକା ଯେତେ ସାମ୍ନାକୁ ଆସୁଛି ପୁଲିସ ବି ଆଶ୍ଚଯ୍ୟ ହୋଇଯାଉଛି । ଏହି ଯୁବତୀମାନଙ୍କ ବୟସ କମ ହୋଇଥିବାବେଳେ ସେମାନେ ହାଇଦର ପୁଅର କଥାରେ ପରିଚାଳିତ ହେଉଥିଲେ । ଆଉ ତାର ନିର୍ଦ୍ଦେଶ ଅନୁସାରେ ସବୁକିଛି କରୁଥିଲେ । ଆଉ ସେହି ଯୁବତୀଙ୍କ ଫୋନକୁ ଟ୍ରାକ୍ କରି ହାଇଦରର ଠିକଣା ଖୋଜୁଥିଲା କମିଶନରେଟ୍ ପୁଲିସ ।

ସେପଟେ ହାଇଦରର ପୁଅ ଆଜାରୁଦ୍ଧିନ ଏବେ ବି ଫେରାର ଅଛି । ଯିଏ ହାଇଦର ଫେରାର ହେବା ପଛର ମୁଖ୍ୟ ଖଳନାୟକ ଏବଂ ଆଜାରୁଦ୍ଧିନ ହିଁ ୩ ଯୁବତୀଙ୍କୁ ଫୋନରେ ରଖି ହାଇଦର ପାଇଁ ସମସ୍ତ ବ୍ୟବସ୍ଥା କରୁଥିଲା । ଏପଟେ ହାଇଦର ଯେଉଁ କାରରେ ଫେରାର ହୋଇଥିଲା ସେହି କାରକୁ ଜବତ କରିଛି ପୁଲିସ । ଫେରାର ହେବାର ମାତ୍ର କିଛିଦିନ ଆଗରୁ ଏହି କାରଟିକୁ ୮୦ ହଜାର ଟଙ୍କାରେ କିଣାଯାଇଥିଲା ।