ତେଲେଙ୍ଗାନାରୁ ଗାଙ୍ଗଷ୍ଟର ହାଇଦର ଗିରଫ୍ : ଆଜି ହାଇଦରକୁ ଓଡିଶା ଆଣିପାରେ କମିଶନରେଟ୍ ପୁଲିସ 

ଗତକାଲି ସଂଧ୍ୟାରେ ହାଇଦ୍ରାବାଦ ଉପକଣ୍ଠରୁ ତେଲେଙ୍ଗାନା ପୁଲିସର ସହାୟତାରେ ଧରିଲା କଟକ ପୁଲିସ 

171

କନକ ବ୍ୟୁରୋ : ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ସ୍ଥାନୀୟ ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁଲିସ କମିସନର । ଖୁବଶୀଘ୍ର ହାଇଦରକୁ ଓଡିଶା ଅଣାଯିବ । ତେଲେଙ୍ଗାନା ପୁଲିସ ସହାୟତାରେ  କମିଶନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଛି । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୁଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୁଳିସ ।

ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ହାଇଦ୍ରାବାଦ ସିଟି ପୁଲିସର ଟାସ୍କଫୋର୍ସ ସମେତ ତେଲେଙ୍ଗାନାର କିଛି ପୁଲିସ ଟିମ୍ ସହାୟତା କରିଥିଲେ ।  ହାଇଦର  ଗତ ୧୦ ତାରିଖରେ  କଟକ ଏସସିବିରୁ ଫେରାର ହେବା ପରେ ତାର ଗତିବିଧି ଉପରେ କଡା ନଜର ରଖାଯାଇଥିଲା ।  ତାକୁ  ଧରିବା ପାଇଁ କଟକ ସିଟି ପୁଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା ।  ଧରାପଡିବା ପରେ କଟକ  ପୁଲିସ ହାଇଦରକୁ ଚିହ୍ନଟ କରିଛି  ବୋଲି ପୁଲିସ କମିଶନର କହିଛନ୍ତି ।

ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁରର ୬ ଜଣ ସୁରକ୍ଷା କର୍ମୀଙ୍କ ହେପାଜତରେ ହାଇଦରକୁ ଚିକିତ୍ସା ପାଇଁ କଟକ ନିଆଯାଇଥିଲା । କଟକ ମେଡିକାଲରେ ଥିବାବେଳେ ୧୦ ତାରିଖରେ ସୁରକ୍ଷା କର୍ମୀଙ୍କୁ ଅଚେତ କରି ସେ ଫେରାର ହୋଇଯାଇଥିଲା ।  ଏହା ପରେ ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଥିଲା କମିଶନରେଟ ପୁଲିସ । ଗୁରୁବାର ହାଇଦର ଗିରଫ କରିଛି ପୁଲିସ । ଓଡିଶାକୁ ଆଣିବା ପରେ ତାକୁ ପଚରା ଉଚରା କରାଯିବ । ସେ  କେମିତି ଫେରାର ହେଲା , କେଉଁ ବାଟ ଦେଇ ସେ ତେଲେଙ୍ଗାନା  ଯାଇଥିଲା, ତାଙ୍କୁ  ଏଥିରେ କିଏ ସହାୟତା କରିଥିଲା  ସେ ନେଇ ଜେରା କରାଯିବ ।

ଆଜି ହାଇଦରକୁ ଓଡିଶା ଆଣିପାରେ କମିଶନରେଟ୍ ପୁଲିସ । ସେପଟେ କମିଶନରେଟ ପୁଲିସକୁ ପ୍ରଶଂସା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ । ପୁଲିସ କମିଶନର  ଓ କଟକ ଡିସିପିଙ୍କ  ନେତୃତ୍ୱରେ ଯେଉଁଭଳି ଢଙ୍ଗରେ ହାଇଦ୍ରାବାଦରୁ କୁଖ୍ୟାତ୍ ଫେରାର ଅପରାଧୀ ହାଇଦରକୁ ଗିରଫ କରାଗଲା, ତାହା ପ୍ରଶଂସନୀୟ ବୋଲି ଟ୍ୱିଟ୍ କରିଛନ୍ତି ଡିଜିପି ଅଭୟ ।

ସୂଚନାଯୋଗ୍ୟ ଯେ କଟକ ବଡ଼ ମେଡିକାଲ୍‌ର କ୍ୟାବିନ୍‌ ନ˚ ୫ରୁ ଗଲା ୧୦ ତାରିଖ ଅପରାହ୍ନରେ ଫେରାର ହୋଇ ଯାଇଥିଲା ହାଇଦର ‌‌। ହାଇଦର‌୍‌ର ମଝିଆ ପୁଅ ଏକ ବାଇକ୍‌ରେ ତାକୁ ଖୋର୍ଦ୍ଧା ନେଇଥିଲା । ଖୋର୍ଦ୍ଧାରୁ ଏକ କାର‌୍‌ରେ ହାଇଦର‌୍‌ ସହିତ ମଝିଆ ପୁଅ ଆଜାରୁଦ୍ଦିନ ଓ ତା’ର ୩ରୁ ୪ ଜଣ ସାଙ୍ଗ, ଆଜାରୁଦ୍ଦିନ୍‌ର ସହଯୋଗୀ କାଳିଆ ସାମିଲ ହୋଇଥିଲେ । ହାଇଦର‌୍‌ କଟକ ମେଡିକାଲରୁ ଯେଉଁ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲା, ସେହି ବାଇକ୍‌କୁ ତାକୁ କାର୍‌ ପଛରେ ଚଲାଇ ଚଲାଇ ଯାଇଥିଲା ତା’ ଜ୍ବାଇଁ । ତେଲେଙ୍ଗାନାରେ ପହଞ୍ଚିବା ପୂର୍ବରୁ ପୁଣି ବାଇକ୍‌ରେ ଯାଇଥିଲା ହାଇଦର‌ ‌।

ଶେଷରେ ୧୧ ତାରିଖ ଦିନ ହାଇଦର‌୍‌ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ପହଞ୍ଚିଥିଲା । ସାଙ୍ଗାରେଡ୍ଡି ଜିଲ୍ଲାରେ ହାଇଦର‌୍‌ ବାଇକ୍‌ରେ ଯାଉଥିବା ବେଳେ ତାକୁ ପିଛା କରିଥିବା କଟକ କମିସନରେଟ୍‌ ପୁଲିସର ଏକି ଟିମ୍‌ କାବୁ କରି ନେଇଥିଲା । କିନ୍ତୁ ହାଇଦର‌୍‌ ସହିତ ଥିବା ମଝିଆ ପୁଅ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ଭାଇ କାଳିଆ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଓ ଆଜାରୁଦ୍ଦିନର ସହଯୋଗୀ କାଳିଆ ଫେରାର ହୋଇଯାଇଛନ୍ତି । ପୁଲିସର ଆଉ ଏକ ଟିମ୍‌ ସେମାନଙ୍କ ପିଛା କରିଥିବା ସୂଚନା ମିଳିଛି। ହାଇଦର‌୍‌କୁ କମିସନରେଟ୍‌ ପୁଲିସ ଟ୍ରାନ୍‌ଜିଟ୍‌ ରିମାଣ୍ତରେ କଟକ ଆଣୁଛି ।

ହାଇଦର ଫେରାର ହେବାର ପ୍ରାୟ ଅଢେଇ ଘଣ୍ଟା ପରେ ପୋଲିସ ଖବର ପାଇଥିଲା । ଯେଉଁଥିପାଇଁ ହାଇଦର ନିରାପଦରେ ଢେର ବାଟ ଯାଏ ଚାଲିଯାଇଥିଲା । ତାକୁ ଧରିବା ପାଇଁ କମିସନରେଟ୍‌ ପୁଲିସର ୫ଟି ଟିମ୍‌ ଗଠନ ହୋଇଥିଲା। ପୁଲିସ ପ୍ରଥମେ ହାଇଦର‌୍‌ ଓ ତା’ ପରିବାର ସଦସ୍ୟଙ୍କ ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ କାର୍ଡ ଟ୍ରାକ୍‌ କରିଥିଲା । ବଡ଼ ମେଡିକାଲ୍‌ରୁ ଆରମ୍ଭ କରି କଟକ ସହରର ସମସ୍ତ ପ୍ରସ୍ଥାନ ପଥରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ପୁଲିସ ଜବତ କରିଥିଲା। ସିସି କ୍ୟାମେରା ଫୁଟେଜ୍‌ ଓ ୟାକୁବ୍‌ର ବୟାନ ଆଧାରରେ ପୁଲିସ ତେଲେଙ୍ଗାନାରେ ପହଞ୍ଚିଥିଲା ।