କନକ ବ୍ୟୁରୋ: ଓଡ଼ିଶାରେ ୧୨ ଦିନ ଧରି ଥିଲା କୁଖ୍ୟାତ ଅପରାଧି ଅତିକ ଅହମ୍ମଦର ସହଯୋଗୀ ଗୁଡୁ ମୁସଲିମ । ଏପ୍ରିଲ ୨ରୁ ୧୩ ତାରିଖ ଯାଏଁ ଓଡ଼ିଶାରେ ଥିଲା ଗୁଡୁ ମୁସଲିମ । ପୋଲିସର ସୂଚନା ଅନୁସାରେ, ଗୁଡୁ ମୁସଲିମ୍ ଓଡ଼ିଶାରୁ ଛତିଶଗଡ଼ ଚମ୍ପଟ ମାରିଥିଲା । ଯିବା ସମୟରେ ଗୁଡୁ ମୁସଲିମର ବ୍ୟାଗ୍ ଓ କପଡ଼ା ରହିଯାଇଥିବା ସୂଚନା ମିଳିଛି । ଗୁଡୁ ମୁସଲିମ ଓଡ଼ିଶା ଆସି ରାଜା ଖାନକୁ ଭେଟିବା ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ଏସଟିଏଫ୍ ରାଜା ଖାନକୁ ପଚରାଉଚରା କରୁଥିଲା । ଏନେଇ ଓଡ଼ିଶା ଏସପି ମଧ୍ୟ ସୂଚନା ଦେଇଥିଲେ ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗୁଡୁ ମୁସଲିମ୍ ଗୋଟିଏ ପରେ ଗୋଟିଏ ସହର ବଦଳାଉଛି । ମିରଟ୍, ଅଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ରେ ଶେଷଥର ପାଇଁ ନଜର ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଉମେଶ ପାଲ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୧୦ଜଣଙ୍କ ମଧ୍ୟରେ ଗୁଡୁ ମୁସଲିମ ହେଉଛି ଅନ୍ୟତମ । ହତ୍ୟା, ଅପହରଣ ଭଳି ଅପରାଧ ସହ ଅଣ୍ଡରୱାର୍ଲ୍ଡ ସହ ଗୁଡୁ ମୁସଲିମର ଲିଙ୍କ ଥିବା କୁହାଯାଉଛି । ଆତତାୟୀ ଗୁଳିରେ ମୃତ୍ୟୁବରଣ କରିଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ଦିନେ ଘନିଷ୍ଠ ସହଯୋଗୀ ଥିଲା । ଏମିତିକି ଗୁଡୁ ମୁସଲିମ ଜେଲରେ ଥିବା ସମୟରେ ଅତିକ ତାକୁ ମୁକୁଳାଇଥିବା କୁହାଯାଏ । କିନ୍ତୁ ପରବର୍ତୀ ସମୟରେ ଗୁଡୁ ମୁସଲିମ ଓ ଅତିକ ଅହମ୍ମଦ ମଧ୍ୟରେ ତିକ୍ତତା ବଢ଼ିଥିଲା ଏବଂ ଗୁୁଡୁ ମୁସଲିମ ନିଜେ ଏକ ଗ୍ୟାଙ୍ଗର ପରିଚାଳନା କରୁଥିଲା । ଏସବୁ ଭିତରେ ପ୍ରଶ୍ନ ଆସୁଛି, ଯଦି ଗୁଡୁ ମୁସଲିମ୍ ଓଡ଼ିଶା ଆସିଥିଲା, ତେବେ ଓଡ଼ିଶା ପୋଲିସ ଜାଣିପାରିଲାନି କେମିତି?