କନକ ବ୍ୟୁରୋ : ଗ୍ୟାରେଜ ମେକାନିକରୁ ଗ୍ୟାଙ୍ଗଷ୍ଟର । ପ୍ରଥମେ ଗାଡି ଚୋରି କରିବା ପରେ ଲୁଟ୍ ଓ ଡକାୟତି କରୁଥିବା ଏକ ନୂଆ ଅପରାଧୀ ଗ୍ୟାଙ୍ଗକୁ ବାନ୍ଧିଛି ପୋଲିସ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ ହାତରେ ଲାଗିଛି ଏହି ଡକାୟତ ଗ୍ୟାଙ୍ଗ । ଗତ କିଛିମାସ ହେଲା ଏମାନେ ଆତଙ୍କ ଖେଳାଉଥିଲେ । ଗାଡି, ମୋବାଇଲ, ଅଳଙ୍କାର ଆଦି ଚୋରି କରିବା ସହ ପୋଲିସ ଆଖାରେ ଧୁଳିଦେବାକୁ ସମର୍ଥ ହେବାରୁ ସାହସ ବଢିଥିଲା ।

Advertisment

ଘରେ ପଶି ଲୁଟ୍ ଓ ଡକାୟତି କରିବାକୁ ପଛାଇନଥିଲେ । ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବୁଲେଟ, ୫ଟି ମୋଟର ସାଇକେଲ, ୧୭ଟି ମୋବାଇଲ ଫୋନ୍ , ୩୮ଗ୍ରାମର ଦୁଇଟି ସୂନା ଚେନ୍ ଓ ଗୋଟିଏ ସୁନା ମୁଦି, ୫୫ ଗ୍ରାମର ରୁପା, ନଗଦ ୩ ହଜାର ୩୩୨ଟଙ୍କା ଜବତ କରିଛି ପୋଲିସ । ଗୋଟିଏ ଖେଳନା ପିସ୍ତଲ ସହ ଗୋଟିଏ ଅସଲି ପିସ୍ତଲ ମଧ୍ୟ ଜବତ ହୋଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି ।

ତେବେ ସମସ୍ତଙ୍କ ବୟସ ୧୯ ବର୍ଷ କିମ୍ବା ତାଠାରୁ କମ୍ । ଅଳ୍ପ ବୟସର ଏହି ପିଲାଙ୍କ ହାତରେ କିଏ ଧରାଇଦେଲା ବନ୍ଧୁକ ତାକୁ ନେଇ ଉଠୁଛି ପ୍ରଶ୍ନ । ଗିରଫ ଅଭିଯୁକ୍ତମାନଙ୍କ ଘର ବଡବଜାର ଅଂଚଳର ହୋଇଥିବା ବେଳେ ଜଣେ ନିମଖଣ୍ଡି ଥାନା ଅଞ୍ଚଳର । ଏମାନେ ଗତ ୩ ମାସ ଭିତରେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୪ଟି ଡକାୟତି ମାମଲା ରହିଛି ।