ଦେଶରେ ତୃତୀୟରେ ରହିଛି ଗଞ୍ଜାମର ଗାଙ୍ଗପୁର ଥାନା । ଚଳିତ ମାସ ୧୯ରେ ପୁରସ୍କାର ଗ୍ରହଣ କରିବେ ଥାନା ଅଧିକାରୀ

123

କନକ ବ୍ୟୁରୋ : ଦେଶର ତିନୋଟି ଶ୍ରେଷ୍ଠ ଥାନା ମଧ୍ୟରେ ଗାଙ୍ଗପୁର ଥାନାର ସ୍ଥାନ ତୃତୀୟରେ ରହିଛି । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରାଳୟରୁ ଏହି ସୂଚନା ମିଳିଛି । ରାଜ୍ୟ ଅତିରିକ୍ତ ଡ଼ିଜି ପକ୍ଷରୁ ଗଂଜାମ ଏସ୍ ପି ବ୍ରିଜେଶ ରାୟଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଚିଠିରେ ଉଲ୍ଲେଖ ରହିଛି ଯେ, ନଭେମ୍ବର ୧୯ ତାରିଖରେ କେନ୍ଦ୍ରିୟ ପୁଲିସ ମୁଖ୍ୟାଳୟ ଲକ୍ଷେ୍ମାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗାଙ୍ଗପୁର ଥାନା ଆଇଆଇସିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଏକ ଟ୍ରପିଂ ଦେଇ ସମ୍ମାନିତ କରିବେ ।

ଆସନ୍ତା ୧୭ ତାରିଖ ସୁଧା ଗାଙ୍ଗପୁର ଥାନା ଅଧିକାରୀ ଧିରେଶ ଦାଶ ୟୁନିଫମ୍ ସହ କ୍ରସ ବେଲ୍ଟ ପରିଧାନ କରି ଅନୁଷ୍ଠିତ ହେବାକୁ ଥିବା ଟ୍ରପିଂ ଗ୍ରହଣ ପାଇଁ ରିହସଲରେ ଉପସ୍ଥିତ ରହିବା ନେଇ ଏସପି ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି । ସ୍ୱଚ୍ଛତା, ପରିସ୍କାର ପରିବେଶ ଓ ଆଇନ ଶୃଙ୍ଖଳା ଏବଂ ସିସିଟିନ୍ଏସରେ ମାମଲା ପଜିଂକରଣ , ଅପରାଧ ନିୟନ୍ତ୍ରଣ, ଚୋରି ଡ଼କାୟତି ରୋକିବା କ୍ଷେତ୍ରକୁ ନେଇ ଏହି ସର୍ଭେ ହୋଇଥିଲା । ଜନସାଧାରଣଙ୍କ ମତାମତ ଓ ବହୁ ମାନଦଣ୍ଡକୁ ନେଇ ଏହି ସର୍ଭେ ସରିଥିଲା । ସେଥିରେ ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନା ସବୁ ଠାରେ ଆଗରେ ରହି ଦେଶରେ ତୃତୀୟ ସ୍ଥାନ ଅଧିକାର କରିବାର ହକ୍ ବିବେଚିତ ହୋଇଛି । ଏଥିପାଇଁ ଏସପିଙ୍କୁ ଜିଲ୍ଲାର ସବୁ ପୋଲିସ କର୍ମଚାରୀ ସାଧୁବାଦ ଜଣାଇଛନ୍ତି ।

ଗତ କିଛି ମାସ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସବୁ ଥାନା ମାନଙ୍କୁ ନେଇ ଏକ ସର୍ଭେ ହୋଇଥିଲା । ‘ଟ୍ରୁ ଏଗ୍ରିକୋ’ ନାମକ ଏକ ସଂସ୍ଥା ଦୁଇଟି ପର୍ଯ୍ୟାୟାରେ ସର୍ଭେ କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସିସିଟିଏନଏସ୍ ପୋର୍ଟାଲ୍‌ରେ ତଥ୍ୟ ପଞ୍ଜୀକରଣ ଆଧାରରେ ଦେଶର ୭୨ଟି ଭଲ ଥାନାକୁ ଚୟନ କରାଯାଇଥିଲା । ଏଥିରେ ରାଜ୍ୟରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଏବଂ ସୋରଡ଼ା ଥାନା ରହିଥିଲା । ଏହାପରେ କେନ୍ଦ୍ରରୁ ଏକ ଟିମ୍ ଆସି ସରଜମିନ୍ ତଥ୍ୟ ସଂଗ୍ରହ ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।

ଥାନାର ସ୍ବଚ୍ଛତା, ପରିମଳ ଓ ଉତ୍ତମ ପରିବେଶ ସହ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା, ଶୌଚାଳୟ, ଶିଶୁ ଓ ମହିଳା ଡେସ୍କ୍ ସହ ଆଇପିସି ମାମଲା ଓ ଥାନାରେ ପଞ୍ଜୀକୃତ ହେଉଥିବା ସମସ୍ତ ମାମଲା ତଦନ୍ତ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହାସହ ଥାନା ଇଲାକାରେ ପ୍ରାୟ ୧୦୦ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ପୁଲିସ ଆଚରଣ ଓ ସେବା ସଂପର୍କରେ ଗାଁକୁ ଗାଁ ବୁଲି ମତାମତ ସଂଗ୍ରହ କରାଯାଇଥିଲା। ସକାରାତ୍ମକ ତଥ୍ୟ ହାସଲ ହୋଇଥିଲା। ସେହିପରି ଗାଙ୍ଗପୁର ଥାନାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତମାନର ଭିତ୍ତିଭୂମି ସର୍ଭେ ଟିମ୍‌କୁ ବେଶ୍ ପ୍ରଭାବିତ କରିଥିଲା। ସମସ୍ତ ତଥ୍ୟକୁ ଆଧାର କରି ଦେଶର ଶ୍ରେଷ୍ଠ ତିନି ଥାନା ଭିତରେ ଗାଙ୍ଗପୁରକୁ ସ୍ଥାନ ମିଳିବା ପରେ ଖୁସିର ଲହରି ଖେଳିଯାଇଛି।