କନକ ବ୍ୟୁରୋ : ଭଞ୍ଜନଗର ଅଞ୍ଚଳ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ଗୁଳି ଫୁଟିବା ସମୟରେ କେବଳ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତି ସନ୍ଦେହକୁ ଆହୁରି ବଢାଇ ଦେଉଛି । ସେପଟେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଆଇଆଇସିଙ୍କ ପତ୍ନୀ । କହିଛନ୍ତି ଦେବ କୁମାର ଗମାଙ୍ଗ ଉପରେ ଅଫିସରୁ ଚାପ ପଡୁଥିଲା, ସେ କୌଣସି ମାନସିକ ଦୁଶ୍ଚିନ୍ତାରେ ନଥିଲେ । ତେଣୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
କେମିତି ହେଲା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ? ଆତ୍ମହତ୍ୟା କଲେ, ଭୁଲରେ ଫୁଟିଗଲା ଗୁଳି ନା ଆଉ କିଛି ? ଏସବୁ ପ୍ରଶ୍ନର ଉତର ଏବେ କାହାରି ପାଖରେ ନାହିଁ । କେବଳ ଦୁଇ ଜଣ ଏ ବିଷୟରେ ଜାଣିଥାଇପାରନ୍ତି । ସେମାନେ ହେଲେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଂଜନଗର ଥାନା ଆଇଆଇସି ଧିରେଶ କୁମାର ଦାସ । କାରଣ ଏହି ଦୁଇ ଜଣଙ୍କ ଉପସ୍ଥିତିରେ ଗୁଳି ଫୁଟିବାର ଶବ୍ଦ ଆସିଛି ଏବଂ ପରବର୍ତୀ ସମୟରେ ତାଙ୍କ ମାଆ ଦୌଡ଼ି ଆସି ଦେଖିଲେ ଯେ ପୁଅ ଦେବ କୁମାର ଗମାଙ୍ଗ ଗୁଳି ମାଡ଼ରେ ତଳେ ପଡ଼ିଛନ୍ତି । ପ୍ରଥମେ ପୋଲିସ ଇଙ୍ଗିତ କଲା, ବନ୍ଧୁକ ସଫା କଲା ବେଳେ ଅସାବଧାନତା କାରଣରୁ ଗୁଳି ଫୁଟିଛି ଏବଂ ଆଉ ଗୋଟିଏ ଇଙ୍ଗିତ ମଧ୍ୟ ଦେଉଥିଲେ ଯେ ଦେବ କୁମାର ଆତ୍ମହତ୍ୟା କରିଥାଇପାରନ୍ତି ।
ଦେବ କୁମାରଙ୍କ ପତ୍ନୀ କିରଣ ମହାନ୍ତି ନିଜେ ମଧ୍ୟ ଜଣେ ପୋଲିସ୍ ଇନ୍ସପେକ୍ଟର । ତେଣୁ ସେ ନିଜେ ମଧ୍ୟ ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଜାଣି ପାରିବେ । ଇତି ମଧ୍ୟରେ ସ୍ୱାମୀ ଦେବ କୁମାର ତାଙ୍କୁ କହିଛନ୍ତି ଯେ ଅଫିସରୁ ଚାପ ପଡ଼ୁଛି । କିନ୍ତୁ କ’ଣ ପାଇଁ ଏହି ଚାପ ପଡ଼ୁଛି, ତାହା ସ୍ପଷ୍ଟ କରିନାହାନ୍ତି । କିରଣ ଆଉ ଏକ ପ୍ରତିକ୍ରିୟାରେ କହିଥିଲେ, ତାଙ୍କ ସ୍ୱାମୀ କୌଣସି ମାନସିକ ଦୁଶ୍ଚିନ୍ତାରେ ନଥିଲେ ।
ଗଂଜାମ ଏସପି ଏହି ଘଟଣାକୁ ମଧ୍ୟ ଜଟିଳ ବୋଲି ଭାବୁଛନ୍ତି । ସେ କହିଛନ୍ତି, ଏହି ଘଟଣାର ପ୍ରକୃତି ଗମ୍ଭୀର ରହିଛି । ତେଣୁ ମାନବିକ ଅଧିକାର ସୁରକ୍ଷା ସେଲର ଛତ୍ରପୁର ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ଏବଂ ଏହାର ତଦାରଖ କରିବେ ଜଣେ ଅତିରିକ୍ତ ଏସପି ର୍ୟାଙ୍କର ଅଫିସର୍ । କିନ୍ତୁ ଏହି ଦୁଇ ଜଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ହେଲେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଂଜନଗର ଥାନା ଆଇଆଇସି ଧିରେଶ କୁମାର ଦାସ । ବର୍ତମାନ ପ୍ରଶ୍ନ ଉଠୁଛି, ଏସଡିପିଓ ଓ ଭଂଜନଜର ଆଇଆଇସିଙ୍କୁ ଏହି ଘଟଣାରେ ସନ୍ଦେହ ଦୃଷ୍ଟିରେ ଦେଖାଯାଉଥିବାରୁ ଏମାନେ କ୍ଷମତାରେ ରହିଲେ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିପାରନ୍ତି । ତେଣୁ ଘଟଣାର ତଦନ୍ତ ସରିବା ଯାଏଁ ଏହି ଦୁଇ ଜଣଙ୍କୁ କ୍ଷମତାରୁ ଦୂରେଇ ରଖିବା ନିହାତି ଆବଶ୍ୟକ ।