ସମ୍ପୂର୍ଣ୍ଣ ତରଳିଯିବ ଗଙ୍ଗୋତ୍ରୀ ଗ୍ଲେସିୟର, ଶୁଖିଯିବ ଗଙ୍ଗାନଦୀ । ଆଗକୁ ଦେଖିବାକୁ ମିଳିପାରେ ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ ।

104

କନକ ବ୍ୟୁରୋ: ଦେଶର ସବୁଠାରୁ ପବିତ୍ର ନଦୀ ଗଙ୍ଗାକୁ ନେଇ ଆସିଛି ଚିନ୍ତାଜନକ ଖବର । ଡେରାଡ଼ୁନ ଠାରେ ଥିବା ‘ୱାଡ଼ିହା ଇନଷ୍ଟିଟ୍ୟୁଟ ଅଫ ହିମାଳୟାନ ଜିଓଲୋଜି’ର ବୈଜ୍ଞାନିକ ଡ଼କ୍ଟର ରାକେଶ ଭାମ୍ବିରଙ୍କ ଗବେଷଣାରୁ ଜଣାପଡିଛି କି ଦ୍ରୁତ ଗତିରେ ଗଙ୍ଗୋତ୍ରୀ ଗ୍ଲାସିୟର ତରଳୁଛି । ଯେଉଁ କାରଣରୁ ବର୍ତମାନ ଗଙ୍ଗା ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ଚିନ୍ତାର ବିଷୟ ଯେ, ଆଗକୁ ଶୁଖିଯାଇପାରେ ଗଙ୍ଗା ନଦୀ ।

ଗବେଷଣାରୁ ଏହା ଜଣାପଡ଼ିଛି ଯେ, ୧୯୩୫ ମସିହାରୁ ୨୦୨୨ ଯାଏଁ ଗଙ୍ଗୋତ୍ରୀ ଗ୍ଲାସିୟରର ପାଖାପାଖି ୨ କିଲୋମିଟର ତରଳି ଯାଇଛି । ସବୁଠୁ ବଡ଼ ଚିନ୍ତାର କଥା ହେଉଛି ଗ୍ଲାସିୟର ପୁଣି ଥରେ ତିଆରି ହୁଏ ନାହିଁ । ଏହାର ଅର୍ଥ ଗ୍ଲାସିୟର ତରଳିବା ସହ ସ୍ରୋତ ପ୍ରବାହ କ୍ରମଶ ହ୍ରାସ ପାଇବ । ବିଶେଷଜ୍ଞ କହିଛନ୍ତି ଜଳବାୟୁ ପରିବର୍ତନ ଏହା ପଛର ମୁଖ୍ୟ କାରଣ ହୋଇଥିବାବେଳେ ମାନବ ସମାଜ ମଧ୍ୟ କିଛି ମାତ୍ରାରେ ଏଥିପାଇଁ ଦାୟୀ ଅଟେ ।

ଦୀର୍ଘ ୨୫ ଶହ କିଲୋମିଟର ଲମ୍ବା ଗଙ୍ଗା ନଦୀ ପାଖାପାଖି ୪୦ କୋଟି ଲୋକଙ୍କୁ ପାଣି ଯୋଗାଇ ଆସୁଛି । ଗଙ୍ଗୋତ୍ରୀ ଗ୍ଲାସିୟର ଉପରେ ଗଙ୍ଗା ନଦୀକୁ ଜଳ ସ୍ରୋତ ଆସେ । ଦ୍ରୁତଗତିରେ ଗ୍ଲାସିୟର ତରଳିବା ଯୋଗୁଁ ବର୍ତମାନ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଉଛି ଓ ସମୟ ଅନୁସାରେ ଆଗକୁ ଶୁଖିଯିବା ସମ୍ଭାବନା ରହିଛି । ଗ୍ଲାସିୟର ତରଳିବା ପଛରେ ତାପମାତ୍ରା ବୃଦ୍ଧି, କମ ତୁଷାରପାତ ଏବଂ ଅଧିକ ବର୍ଷା ତିନୋଟି ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଜଳବାୟୁ ପରିବର୍ତନ, ଅଧିକ ବର୍ଷା ଆଦି ବିଭିନ୍ନ କାରଣ ଯୋଗୁଁ ଗ୍ଲାସିୟର ଦ୍ରୁତ ଗତିରେ ତରଳୁଛି । ହେଲେ କେବେ ଏହା ସମ୍ପୂର୍ଣ୍ଣ ଶେଷ ହୋଇଯିବ ଆକଳନ କରିବା କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

ଶୁଖିଯିବ ଗଙ୍ଗା!

– ଚିନ୍ତା ବଢାଇଲା ସର୍ଭେ ରିର୍ପୋଟ
– ଦ୍ରୁତ ଗତିରେ ତରଳୁଛି ଗଙ୍ଗୋତ୍ରୀ ଗ୍ଲାସିୟର
– ବଢୁଛି ଗଙ୍ଗା ନଦୀର ଜଳସ୍ତର
– ଆଗକୁ ଶୁଖି ଯାଇପାରେ ଦେଶର ବଡ ନଦୀ
– ହିମାଳୟରେ ମୋଟ ୯୫୭୫ ଗ୍ଲାସିୟର ରହିଛି
– ୯୬୮ ଗ୍ଲାସିୟର ଉତରାଖଣ୍ଡରେ ରହିଛି
– ଗଙ୍ଗୋତ୍ରୀ ଗ୍ଲାସିୟରର ୩୦ କିଲୋମିଟର ଲମ୍ବା
– ଗଙ୍ଗୋତ୍ରୀ ଗ୍ଲେସିୟର ଗୋମୁଖୁର ଗଙ୍ଗା ପ୍ରବାହିତ ହେଉଛି
– ଦୀର୍ଘ ୨୫ଶହ କିଲୋମିଟର ପ୍ରବାହିତ ହେଉଛି ଗଙ୍ଗା ନଦୀ
– ପ୍ରାୟ ୪୦କୋଟି ଲୋକ ଏହା ଉପରେ ନିର୍ଭରଶୀଳ
– ୮୭ ବର୍ଷ ଭିତରେ ୧୭ଶହ ମିଟର ଗା୍ଲସିୟର ତରଳିଛି
– ପ୍ରତିବର୍ଷ ୧୯.୫୪ ମିଟର ଗ୍ଲାସିୟର ତରଳୁଛି
– ଗ୍ଲାସିୟର ତରଳିବା ପଛରେ ତାପମାତ୍ରା ବୃଦ୍ଧି, କମ ତୁଷାରପାତ ମୁଖ୍ୟ କାରଣ

ଆସ୍ଥାରେ ଗଙ୍ଗା

– ହିନ୍ଦୁ ପରମ୍ପରାରେ ଗଙ୍ଗା ନଦୀରେ ସ୍ୱତନ୍ତ୍ର ସ୍ଥାନ ରହିଛି
– ଗଙ୍ଗା ଜଳକୁ ସବୁଠାରୁ ପବିତ୍ର ଜଳ ବୋଲି ବିବେଚନା କରାଯାଏ
– ଗଙ୍ଗାରେ ବୁଡ଼ ପକାଇବା ପାଇଁ ଲୋକଙ୍କର ଭିଡ଼ ଜମେ
– ସବୁ ପାପରୁ ମୁକ୍ତି ଦିଏ ଗଙ୍ଗା ଜଳ ବୋଲି ବିଶ୍ୱାସ ରହିଛି
– ଭାରତରେ ସବୁ ହିନ୍ଦୁଙ୍କ ଘରେ ଗଙ୍ଗା ଜଳକୁ ରଖାଯାଏ
– ପୂଜା ପର୍ବଠାରୁ ଆରମ୍ଭ କରି ସବୁ ଶୁଭକାମରେ ଗଙ୍ଗା ଜଳ ବ୍ୟବହାର କରାଯାଏ
– ଗଙ୍ଗା ଜଳ ବିନା ଅନେକ ପର୍ବ ଅଧୁରା ରହିଯାଏ
– ଗଙ୍ଗା ନଦୀ ତଟରେ ଶ୍ରାଦ୍ଧ ଦିଅନ୍ତି ହିନ୍ଦୁ ପରିବାର
– ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରାଯାଏ
– ଗଙ୍ଗା ନଦୀକୁ ମା’ ବୋଲି ଭାବନ୍ତି ଶ୍ରଦ୍ଧାଳୁ
– ଶେଷ ଶଯ୍ୟାରେ ଗଙ୍ଗା ପାଣି ଦେଲେ ମୋକ୍ଷ ମିଳେ ବୋଲି ରହିଛି ବିଶ୍ୱାସ