ଚିନ୍ତା ବଢାଇଲା ସର୍ଭେ ରିର୍ପୋଟ, ଦ୍ରୁତ ଗତିରେ ତରଳୁଛି ଗଙ୍ଗୋତ୍ରୀ ଗ୍ଲାସିୟର

113

କନକ ବ୍ୟୁରୋ : ଭାରତର ଜୀବନ ରେଖା ଗଙ୍ଗା । କେବଳ ନଦୀ ନୁହେଁ ମା ଭାବରେ ପୂଜା ପାଏ । ଭାରତୀୟ ସଭ୍ୟତାର କ୍ରମ ବିବର୍ତ୍ତନ ଗଙ୍ଗାକୂଳରୁ ହିଁ ଆରମ୍ଭ । ବାରଣାସୀ, କୋଲକାତା, ଆହ୍ଲାବାଦ,ପାଟନା ଆଦି ଅନେକ ସହରର ବିକାଶ ଗଙ୍ଗା ଉପରେ ନିର୍ଭର କରେ । ହେଲେ ଆଗକୁ ଗଙ୍ଗା ଶୁଖିଯିବ । ଏହାର ଉତ୍ପତିସ୍ଥଳ ହିମାଳୟର ଗୋମୁଖ ନିକଟରେ ଗ୍ଲାସିୟର ତରଳିବା ଆରମ୍ଭ କରିଛି । ଗତ ୮୭ ବର୍ଷ ଭିତରେ ଦେଢ କିଲୋମିଟରରୁ ଅଧିକ ଗ୍ଲାସିୟର ତରଳି ସାରିଲାଣି । ଯଦି ଏହି ଧାରା ଜାରି ରହେ ତାହାହେଲେ ଆଗାମୀ କିଛି ଶହ ବର୍ଷ ଭିତରେ ଗଙ୍ଗା ଶୁଖିଲା ପଡିଥିବ ।

ଦେଶର ସବୁଠାରୁ ପବିତ୍ର ନଦୀ ଗଙ୍ଗାକୁ ନେଇ ଆସିଛି ଚିନ୍ତାଜନକ ଖବର । ଡେରାଡ଼ୁନ ଠାରେ ଥିବା ‘ୱାଡ଼ିହା ଇନଷ୍ଟିଟ୍ୟୁଟ ଅଫ ହିମାଳୟାନ ଜିଓଲୋଜି’ର ବୈଜ୍ଞାନିକ ଡ଼କ୍ଟର ରାକେଶ ଭାମ୍ବିରଙ୍କ ଗବେଷଣାରୁ ଜଣାପଡିଛି କି ଦ୍ରୁତ ଗତିରେ ଗଙ୍ଗୋତ୍ରୀ ଗ୍ଲାସିୟର ତରଳୁଛି । ଏହା କାରଣରୁ ବର୍ତମାନ ଗଙ୍ଗା ଓ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ଚିନ୍ତାର ବିଷୟ ଏହା କି ଆଗକୁ ଶୁଖିଯାଇପାରେ ଗଙ୍ଗା ନଦୀ । ଗବେଷଣାରୁ ଏହା ଜଣାପଡ଼ିଛି ଯେ, ୧୯୩୫ ମସିହାରୁ ୨୦୨୨ ଯାଏଁ ଗଙ୍ଗୋତ୍ରୀ ଗ୍ଲାସିୟରର ପାଖାପାଖି ୨ କିଲୋମିଟର ତରଳି ଯାଇଛି । ସବୁଠୁ ବଡ ଚିନ୍ତାର କଥା ହେଉଛି ଗ୍ଲାସିୟର ପୁଣି ଥରେ ତିଆରି ହୁଏ ନାହିଁ । ଏହାର ଅର୍ଥ ଗ୍ଲାସିୟର ତରଳିବା ସହ ସ୍ରୋତ ପ୍ରବାହ କ୍ରମଶ ହ୍ରାସ ପାଇବ । ବିଶେଷଜ୍ଞ କହିଛନ୍ତି ଜଳବାୟୁ ପରିବର୍ତନ ଏହା ପଛର ମୁଖ୍ୟ କାରଣ ହୋଇଥିବାବେଳେ ମାନବ ସମାଜ ମଧ୍ୟ କିଛି ମାତ୍ରାରେ ଏଥିପାଇଁ ଦାୟୀ ଅଟେ ।

ଶୁଖିଯିବ ଗଙ୍ଗା ନଦୀ!

• ହିମାଳୟରେ ମୋଟ ୯୫୭୫ ଗ୍ଲାସିୟର ରହିଛି
• ୯୬୮ ଗ୍ଲାସିୟର ଉତରାଖଣ୍ଡରେ ରହିଛି
• ଗଙ୍ଗୋତ୍ରୀ ଗ୍ଲାସିୟରର ୩୦ କିଲୋମିଟର ଲମ୍ବା
• ଗଙ୍ଗୋତ୍ରୀ ଗ୍ଲେସିୟର ଗୋମୁଖୁର ଗଙ୍ଗା ପ୍ରବାହିତ ହେଉଛି
• ଦୀର୍ଘ ୨୫ଶହ କିଲୋମିଟର ପ୍ରବାହିତ ହେଉଛି ଗଙ୍ଗା ନଦୀ
• ପ୍ରାୟ ୪୦କୋଟି ଲୋକ ଏହା ଉପରେ ନିର୍ଭରଶୀଳ
• ୮୭ ବର୍ଷ ଭିତରେ ୧୭ଶହ ମିଟର ଗା୍ଲସିୟର ତରଳିଛି
• ପ୍ରତିବର୍ଷ ୧୯.୫୪ ମିଟର ଗ୍ଲାସିୟର ତରଳୁଛି

ଗ୍ଲାସିୟର ତରଳିବା ପଛରେ ତାପମାତ୍ରା ବୃଦ୍ଧି, କମ ତୁଷାରପାତ ଏବଂ ଅଧିକ ବର୍ଷା ତିନୋଟି ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଜଳବାୟୁ ପରିବର୍ତନ, ଅଧିକ ବର୍ଷା ଆଦି ବିଭିନ୍ନ କାରଣ ଯୋଗୁଁ ଗ୍ଲାସିୟର ଦ୍ରୁତ ଗତିରେ ତରଳୁଛି । ହେଲେ କେବେ ଏହା ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏହା ଆକଳନ କରିବା ଭାରି କଷ୍ଟକର ବୋଲି ଡ଼କ୍ଟର ରାକେଶ ଭାମ୍ବିର କହିଛନ୍ତି । ଯଦି ଏଭଳି ସ୍ଥିତି ଜାରି ରହେ ତେବେ ୧୫ଶହ ବର୍ଷ ଭିତରେ ସମ୍ପୂର୍ଣ୍ଣ ଭାବେ ଗଙ୍ଗୋତ୍ରୀ ଗ୍ଲାସିୟର ତରଳିବା ଆଶଙ୍କା ରହିଛି । ସେପଟେ କିଛି ବଡ ଗ୍ଲାସିୟର ଉପରେ ବୈଜ୍ଞାନିକ ମାନେ ନଜର ରଖିଛନ୍ତି   । ଗଙ୍ଗୋତ୍ରୀ, ଚୋରାବାରୀ, ଦୁନାଗିରୀ, ଡୋକାରିଆନୀ, ପିଣ୍ଡାରୀ ନଜର ରଖାଯିବା ସହ ଏମାନଙ୍କ ତରଳିବା ପଛର କାରଣ ଖୋଜୁଛନ୍ତି ବୈଜ୍ଞାନିକ ।