ଦିନେ କ୍ରାଇମରେ ଥିଲା ଏକ ନମ୍ବର, ଆଜି ଶ୍ରେଷ୍ଠ ଥାନା: ଅପରାଧ ନିୟନ୍ତ୍ରଣରେ ତୃତୀୟ ସ୍ଥାନରେ ଗଂଜାମର ଗାଙ୍ଗପୁର ଥାନା 

111

କନକ ବ୍ୟୁରୋ: କ୍ରାଇମରେ ନମ୍ବର ୱାନ୍ ଥିବା ଥାନା ଏବେ ଦେଶର ଶ୍ରେଷ୍ଠ ଥାନା । ଦେଶର ଆଦର୍ଶ ଥାନା ତାଲିକାର ତୃତୀୟ ସ୍ଥାନରେ ରହିଛି ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନା । ନଭେମ୍ବର ୧୯ରେ ପୁରସ୍କୃତ କରାଯିବା ନେଇ ଗୃହ ମନ୍ତ୍ରାଳୟରୁ ପକ୍ଷରୁ ସୂଚନା ମିଳିଛି । ବିଗତ କିଛି ବର୍ଷ ତଳେ ଗଂଜାମ ଜିଲ୍ଳା ଅପରାଧ ଜଗତର ଉପତ୍ୟାକା ପାଲଟିଥିଲା । ଗଂଜାମ ପୋଲିସର କାର୍ଯ୍ୟତରିକା ଓ ସୁଦକ୍ଷତା ପାଇଁ ଆଜି ଗଂଜାମରେ କ୍ରାଇମ୍ କଂଟ୍ରୋଲ ହେବା ସହ ସୁନାର ଥାନା ତାଲିକାରେ ତୃତୀୟ ସ୍ଥାନ ମିଳିଛି ।

ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗଂଜାମର ଗାଙ୍ଗପୁର ଥାନା । ରାଜ୍ୟ ଅତିରିକ୍ତ ଡ଼ିଜି(ଆଇନ ସୃଙ୍ଖଳା) ପକ୍ଷରୁ ଗଂଜାମ ଏସ୍ପି ବ୍ରିଜେଶ ରାୟଙ୍କୁ ଏକ ଚିଠି ମାଧ୍ୟମରେ ଏହା ଅବଗତ କରାଯାଇଛି । ଗୃହ ମନ୍ତ୍ରାଳୟରୁ ଆସିଥିବା ନିର୍ଦେଶ ଅନୁସାରେ, ନଭେମ୍ବର ୧୯ରେ କେନ୍ଦ୍ରିୟ ପୁଲିସ ମୁଖ୍ୟାଳୟ ଲକ୍ଷେ୍ମା ଠାରେ ଗାଙ୍ଗପୁର ଥାନା ଆଇଆଇସିଙ୍କୁ ସମ୍ମାନିତ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ରଫି ଦେଇ ଦେଶର ଶ୍ରେଷ୍ଠ ତୃତୀୟ ଥାନାକୁ ସମ୍ମାନିତ କରିବେ । ଏଥିପାଇଁ ଆସନ୍ତା ୧୭ ତାରିଖ ସୁଧା ଥାନା ଅଧିକାରୀ ଧିରେଶ ଦାଶ ପୁରା ପ୍ରସ୍ତୁତ ହୋଇ ଲକ୍ଷେ୍ମøରେ ପଂହଚିବାକୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସଂସ୍ଥା ୨ଟି ପର୍ଯ୍ୟାୟରେ ଦେଶର ସବୁ ଥାନାକୁ ନେଇ ସର୍ଭେ କରିଥିଲେ । ସିସିଟିଏନ୍ଏସ୍ ପୋଟାର୍ଲରେ ପଂଜିକରଣ ହୋଇଥିବା ତଥ୍ୟ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୭୨ଟି ଥାନାକୁ ଚୟନ କରାଯାଇଥିଲା । ଏହି ତାଲିକାରେ ଓଡିଶାର ୨ଟି ଥାନା ସୋରଡ଼ା ଓ ଗାଙ୍ଗପୁର ରହିଥିଲା । କେନ୍ଦ୍ରରୁ ଏକ ଟିମ୍ ଆସି ଏହି ଦୁଇଟି ଥାନା ବାବଦରେ ତଥ୍ୟ ସଂଗ୍ରହ କରିଥିଲେ । ସ୍ୱଚ୍ଛ ପରିବେଶ ଓ ପରିମଳ ବ୍ୟବସ୍ଥା ସାଙ୍ଗକୁ ଆଇନଶୃଙ୍ଖଳା ଏବଂ ସିସିଟିନ୍ଏସ୍ରେ ମାମଲା ପଜିଂକରଣ, ଅପରାଧ ନିୟନ୍ତ୍ରଣ, ଚୋରି ଡ଼କାୟତି ରୋକିବା ଦିଗକୁ ନେଇ ସର୍ଭେ ହୋଇଥିଲା ।

ସବୁଠାରୁ ଅଧିକ କେସ୍ କ୍ଳୋଜ କରିବା ରେକର୍ଡ଼ ଅଛି ଗାଙ୍ଗପୁର ଥାନାରେ । ୨୦୨୧ ଜାନୁଆରୀରୁ ବର୍ତମାନ ସୁଦ୍ଧା ୪୯୯ଟି ମାମଲାର ସମାଧାନ ହୋଇଛି । ସେହିଭଳି ନିଖୋଜ ବ୍ୟକ୍ତିଙ୍କୁ ଖୋଜି ପାଇବା, ଅନ୍ଧବିଶ୍ୱାସକୁ ରୋକିବା, ସାମାଜିକ ସଂସ୍କାର କାର୍ଯ୍ୟକ୍ରମ କରିବାରେ ଆଗରେ ଏହି ଥାନା । ପୁଲିସ ଆଚରଣ ଓ ସେବା ସମ୍ପର୍କରେ ଶହେରୁ ଅଧିକ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି କେନ୍ଦ୍ରିୟ ଟିମ୍ ।

ଗଂଜାମ ଏସ୍ପି ବ୍ରିଜେସ୍ ରାୟ ଓ ଏହି ଥାନାର ଉପଖଣ୍ଡ ଅଧିକାରୀ ଶୁଭ୍ରାସୁଂ ଶେଖର ମିଶ୍ର ଏବଂ  ଥାନା ଅଧିକାରୀ ଧିରେଶ କୁମାର ଦାଶଙ୍କ ଟିମ୍ ୱାର୍କ ଯୋଗୁଁ କ୍ରାଇମ୍ ଗଡ଼ରୁ ଶ୍ରେଷ୍ଠ ଥାନାର ମାନ୍ୟତା ମିଳିଛି । ଶୃଙ୍ଖଳା ଓ କ୍ରାଇମ୍ ବିହିନ ଅଚଂଳ ହୋଇ ପାରିଛି ଗଂଜାମର ଏହି ଅଂଚଳ ।