କନକ ବ୍ୟୁରୋ : ଗଞ୍ଜାମର ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଇତି ମଧ୍ୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ହେଉଛି । ଗତକାଲି ରାତିରେ ଭଂଜନଗର ନିକଟରେ ଏକ ଜଙ୍ଗଲ ଭିତରେ ଥିବା ଫରେଷ୍ଟ ଗେଷ୍ଟ ହାଉସରେ ପୁଲିସ ଅଧିକାରୀଙ୍କ ବୈଠକ ବସିଥିଲା । ଯେଉଁଥିରେ ଭଂଜନଗର ଏସଡିପିଓ, ଭଂଜନଗର ଆଇଆଇସି ମଧ୍ୟ ସାମିଲ ହୋଇଥିଲେ ।
ସମୟ- ରାତି ପ୍ରାୟ ୯ଟା
ସ୍ଥାନ-ଭଞ୍ଜନଗର ସାଳୁଆପଲ୍ଲୀ ଫରେଷ୍ଟ ଗେଷ୍ଟହାଉସ । ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ରାତିଅଧିରେ ଅଫିସରଙ୍କ ବୈଠକ ନେଇ ବଢିଛି ଚର୍ଚ୍ଚା । ଭଂଜନଗର ନିକଟସ୍ଥ ଜଙ୍ଗଲ ଭିତରେ ଥିବା ସାଳୁଆପଲ୍ଲୀ ଗେଷ୍ଟହାଉସ ଆଗର ଦୃଶ୍ୟ ଯାହା ବୟାନ କରୁଛି ଏଠାରେ ରାତି ଅଧେରେ ବୈଠକ ବସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇଆଇସିଙ୍କୁ ଗୁଳି ବାଜିବା ସମୟରେ ସେଠାରେ ଉପସ୍ଥିତ ଥିବା ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଂଜନଗର ଆଇଆଇସି ଧୀରେଶ କୁମାର ଦାସ ଏହି ବୈଠକରେ ଉପସ୍ଥିତ ଥିଲେ । ସେମାନଙ୍କ ସହ ଜଣେ ଅତିରିକ୍ତ ଏସପି ଓ ଆଉ କିଛି ପୋଲିସ ଅଧିକାରୀ ମଧ୍ୟ ବୈଠକରେ ଥିଲେ ।
ଆମେ ଏସଡିପିଓ ଶୁଭ୍ରାଂସୁ ଶେଖର ମିଶ୍ରଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲୁ । ଏସଡିପିଓ କହିଥିଲେ ଯେ, ଆଇଆଇସି ଦେବ କୁମାରଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ତାଙ୍କ ଭଉଣୀ ଏକ ଫୋନ୍ କଲ କରିଥିବାରୁ ସେମାନେ ସେଠାକୁ ଯାଇଥିଲେ । ତାଙ୍କ ଭଉଣୀ କୁଆଡେ କହିଥିଲେ ଯେ, ଦେବ କୁମାର ଗମାଙ୍ଗଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ ଏବଂ ସେ କିଛି ବି କରିପାରନ୍ତି । ତେଣୁ ତାଙ୍କୁ ପାଖକୁ ପୋଲିସ ଅଫିସରଙ୍କୁ ପଠାଇବା ପାଇଁ କହିଥିଲେ । ଏସଡିପିଓ କହିଛନ୍ତି ଏହି ଫୋନ୍ କଲ ପାଇ ସେମାନେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ପାଖକୁ ଯାଇଥିଲେ । ଏ କଥା ଏସପି ବ୍ରିଜେଶ ରାଏ ମଧ୍ୟ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି,
-ଗାଙ୍ଗପୁର ଠାରୁ ସାଢେ ୩ ଶହ କିଲୋମିଟର ଦୂରରେ ରହୁଛନ୍ତି ମୃତ ଆଇଆଇସିଙ୍କ ଉଭଣୀ
-ସେ କେମିତି ଦେବ କୁମାରଙ୍କ ମାନସିକ ଅବସ୍ଥା ଜାଣିଲେ?
-ଆଇଆଇସିଙ୍କ ପତ୍ନୀ କହିଥିଲେ ସେ କୌଣସି ମାନସିତ ଦୁଶ୍ଚିନ୍ତାରେ ନଥିଲେ ?
-ଭଉଣୀଙ୍କ ଫୋନ କଲ ନେଇ ଆଇଆଇସି ମାଆ କିଛି ଜାଣିନଥିଲେ କେମିତି?
-ଆଇଆଇସିଙ୍କ ଭଉଣୀ ଏହି ଫୋନ୍ କଲ କେବେ କରିଥିଲେ?
ମୃତ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମାଆ କହିଛନ୍ତି ସେ ଦିନ ୨ ଜଣ ଅଫିସର ଆସି ଦେବଙ୍କ ସହ ବସି ଡାଇନିଂରେ ଖାଇଲେ ଏବଂ ବେଡରୁମକୁ ଗଲେ । ତାଙ୍କୁ ବାଥରୁମକୁ ଯିବାକୁ କହିଲେ । ଏହା ପରେ ଗୁଳିର ଶଦ୍ଦ ଆସିଲା । ଆଉ ତାଙ୍କ ମାଆ ଦୌଡିଯାଇ ଦେଖିଲେ ପୁଅର ମୃତଦେହ ତଳେ ପଡିଛି ।