କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଆଇଆଇସିଙ୍କ ମୃତ୍ୟୁ ନେଇ ପୁଲିସ ଗୋଟିଏ କଥା କହୁଥିବାବେଳେ ତାଙ୍କ ପତ୍ନୀ ଆଉ ଗୋଟିଏ କଥା କହୁଛନ୍ତି । ଶୁକ୍ରବାରଦିନ ପୁଲିସ କହିଥିଲା ଆଇଆଇସି ମାନସିକ ଚାପରେ ଥିଲେ । କିନ୍ତୁ ତାଙ୍କ ପତ୍ନୀ କହିଛନ୍ତି, ସେ କୌଣସି ଚାପରେ ନଥିଲେ । ବରଂ ନିର୍ବାଚନ ପରେ ଛୁଟି ନେବାକୁ ଚାହୁଁଥିଲେ । ପୁଲିସ ଓ ତାଙ୍କ ପତ୍ନୀ ଭିନ୍ନ ଭିନ୍ନ କଥା କହୁଥିବାରୁ ଆଇଆଇସିଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି ।

Advertisment

କୁହାଯାଉଛି, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଂଜନଗର ଥାନା ଆଇଆଇସି ଧିରେଶ କୁମାର ଦାସ ଖୁବ ବଡ ପାଟିରେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ଗାଳି କରୁଥିଲେ । ଆଉ ସେମାନେ ବେଶି କଣ କହିଛନ୍ତି, ତାହା ସ୍ପଷ୍ଟ ହେଉନାହିଁ, କିନ୍ତୁ ଏହି ସମୟରେ ଗମାଙ୍ଗଙ୍କ ମାଆ ପାଟି ଶୁଣି ଚାଲିଆସିଲେ । ସେଇ ଥାନା ପରିସର ଭିତରେ ଗମାଙ୍ଗ କ୍ୱାର୍ଟର ରହିଛି । ଏସଡିପିଓ ଓ ଆଇଆଇସି ଧିରେଶ ଦାସ, ତାଙ୍କ ମାଆଙ୍କୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଲେ । ଆଉ ଏହି ସମୟରେ ଗୁଳିର ଶବ୍ଦ ଶୁଭିଲା, ଏବଂ ତାଙ୍କ ମାଆ ଦୌଡି ଆସିଲେ ।

ସେତେବେଳେ ଗୁଳି ମାଡରେ ତଳେ ଟଳିପଡିଥିଲେ ଗମାଙ୍ଗ । ଗାଙ୍ଗପୁର ଥାନାର ଏହି ମୃତ୍ୟୁ କାହାଣୀ ସେତେ ସରଳ ନୁହେଁ, ଯେମିତି ଏ ପୁଲିସବାଲା କହୁଛନ୍ତି । ଏସଡିପିଓ ଓ ଆଇଆଇସି କଣ କଥା ହେଉଥିଲେ, କାହିଁକି ସେହି ସମୟରେ ତାଙ୍କ ମାଆଙ୍କୁ ସେଠାରୁ ହଟିଯିବାକୁ କହିଲେ, ଏବଂ ତା ପରେ ପରେ କାହିଁକି ଗୁଳି ଫୁଟିଲା ଏବଂ ଏସପି କେମିତି ତୁରନ୍ତ ଜାଣିଗଲେ ସେ ମାନସିକ ଦୁଃଶ୍ଚିନ୍ତାରେ ସେ ଥିଲେ । ଏନେଇ ଉଠୁଛି ବଡ଼ ପ୍ରଶ୍ନ ।