କନକ ବ୍ୟୁରୋ : ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠିପାରୁନି ପରଦା । କାହିଁକି ଆଇଆଇସି ଚାପରେ ଥିଲେ ସେନେଇ ବଢ଼ୁଛି ସନ୍ଦେହ । ଆଇଆଇସିଙ୍କର ପୋଷ୍ଟମର୍ଟମ ରିପୋର୍ଟ କ’ଣ ଆସିଲା ଓ ଆଇଆଇସିଙ୍କ ମୋବାଇଲ କୁଆଡେ ଗଲା ସେନେଇ ମୁହଁ ଖୋଲୁନି ପୋଲିସ ।
ସୂଚନା ଅନୁସାରେ ତଦନ୍ତ ଭାର ଦିଆଯାଇଥିବା ଏଚଆରପିସି ଅଧିକାରୀ ଗଂଜାମ ଏସପିଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ହେଲେ ଗଂଜାମ ଏସପି ଛୁଟିରେ ଥିବାରୁ ଏ ବିଷୟ ସ୍ପଷ୍ଟ ହୋଇପାରୁନି । ଏବେ ପ୍ରଶ୍ନ ଉଠୁଛି ଏଚଆରପିସି ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ନା ସମସ୍ତଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଦେଲେ । ସବୁ ପୋଲଇସ ଅଧିକାରୀ ମିଶି ସାଳୁଆ ପଲ୍ଲୀ ଗେଷ୍ଟ ହାଉସରେ କ’ଣ ପାଇଁ ଗୁପ୍ତ ବୈଠକ କରିଥିଲେ ତାକୁ ନେଇ ଆଲୋଚନା ଜୋର ଧରିଛି । ଇକୋ ଟୁରିଜିମ୍ ଅଧିନରେ ଆସୁଥିବା ଏହି ଗେଷ୍ଟ ହାଉସକୁ ବୈଠକ ପାଇଁ କିଏ ବୁକ୍ କରିଥିଲା ସେନେଇ ବଢ଼ୁଛି ସନ୍ଦେହ । ଏଥିରେ ସର୍ବାଧିକ ୮ଜଣ ବ୍ୟକ୍ତିଙ୍କୁ ରହିବା ପାଇଁ ଅନୁମତି ଥିବା ବେଳେ ୨୦ରୁ ଅଧିକ ଅଧିକାରୀଙ୍କୁ ଏଠାରେ ବୈଠକ କରିବାକୁ ଅନୁମତି ଦେଲା କିଏ । କୁହାଯାଉଛି ଗତ ମାର୍ଚ୍ଚ ୧୩ ତାରିଖରେ କେନ୍ଦୁପଦରରେ ଘଟିଥିବା ହତ୍ୟାକାଣ୍ଡର ତଦନ୍ତକୁ ନେଇ ଆଇଆଇସି ଦେବ କୁମାରଙ୍କ ଉପରେ ଚାପ ରହିଥିଲା । ଜଣେ ମଦ ମାଫିଆ ଓ ଆଉ ଜଣେ କଂଟ୍ରାକ୍ଟରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲେ ଆଇଆଇସି ଗମାଙ୍ଗ । ହେଲେ ସେମାନଙ୍କୁ ଖସାଇବା ପାଇଁ ପୁରାଦମ୍ରେ ଲାଗି ପଡ଼ିଥିଲେ ଗଂଜାମ ପୋଲିସ ପ୍ରଶାସନ । ଆଉ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ ହୋଇଥିବା ଚର୍ଚ୍ଚା ହେଉଛି । କରୋନା ଲକ୍ ଡାଉନ୍ ସମୟରେ ଯେତେବେଳେ ସାରା ରାଜ୍ୟରେ ମଦ ବିକ୍ରି ବନ୍ଦ ଥିଲା ସେତେବେଳେ ସେହି ମାଫିଆ ପୋଲିସ ସହାୟତାରେ ଗଂଜାମରେ ପ୍ରଚୁର ମଦ ବ୍ୟବସାୟ କରିଥିଲେ । ଯାହାର ଲାଭାଂଶର ମୁଖ୍ୟ ଭାଗ କିଛି ଦୁର୍ନୀତିଖର ଅଫିସରଙ୍କ ନିକଟକୁ ଯାଇଥିଲା ।
ତେଣୁ ତାଙ୍କୁ ଏହି ମାମଲାରୁ ବଂଚାଇବା ପାଇଁ ଲାଗିପଡ଼ିଥିଲେ ଏହି ପୋଲିସ ଅଧିକାରୀ । ମୃତ ଆଇଆଇସି ଗମାଙ୍ଗ ଏମାନଙ୍କ ବାଟରେ କଂଟା ସାଜିବାରୁ ଯେନତେନ୍ ପ୍ରକାର ତାଙ୍କୁ ତଦନ୍ତରୁ ଦୂରେଇ ରଖିବା ପାଇଁ ଉଦ୍ୟମ କରାଯାଉଥିଲା । ତେଣୁ କୌଣସି ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହି ମୃତ୍ୟୁର ରହସ୍ୟ ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।