କନକ ବ୍ୟୁରୋ :ଘୋଷଣାରେ ଅଟକିଛି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବହୁ ପ୍ରତିକ୍ଷୀତ ସୋଲାର ପ୍ରକଳ୍ପ। ସମଗ୍ର ବିଶ୍ବବିଦ୍ୟାଳୟକୁ ସୌର ଶକ୍ତିରୁ ଉତ୍ପନ୍ନ ବିଦ୍ୟୁତ୍ ଶକ୍ତି ଯୋଗାଣ ସାଙ୍ଗକୁ ବଳକା ଶକ୍ତିକୁ ୱେସ୍କୋକୁ ପ୍ରଦାନ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଘୋଷଣାକୁ ଇତି ମଧ୍ୟରେ ୧ ବର୍ଷ ପୂରିବାକୁ ଯାଉଥିବା ସତ୍ତ୍ବେ ପ୍ରକଳ୍ପ ଗୋଟିଏ ବି ପାଦ ଆଗେଇ ପାରିନି। ଘଟଣା ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳସଚିବ ୟୁ.ସି.ପତିଙ୍କୁ ଯୋଗାଯୋଗ କରାଯିବାରେ ସ୍ବତନ୍ତ୍ର ବିଦ୍ୟୁତ୍ ସବ୍ ଷ୍ଟେସନ ଓ କେନ୍ଦ୍ରୀୟ ମିଟର ବ୍ୟବସ୍ଥା ପରେ ଯାଇ ସୋଲାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ବୋଲି କହିଥିଲେ। ତେବେ ଏସମ୍ପର୍କରେ ସରକାରଙ୍କଠାରୁ ଅନୁଦାନ ଆସିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଥିବା କହିଥିଲେ।
ଓରେଡା ପ୍ରକଳ୍ପ ଅନ୍ତର୍ଗତ ମାଗଣାରେ ସୋଲାର ପ୍ୟାନେଲ ବସାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଉଛି। ତେଣୁ ବିଶ୍ବବିଦ୍ୟାଳୟ ମଧ୍ୟ ନିଜସ୍ବ ଉପାୟରେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରି ନିଜର ଆବଶ୍ୟକତା ପୂରଣ କରିବା ସହ ବଳକା ବିଦ୍ୟୁତ୍ ୱେସ୍କୋକୁ ମଧ୍ୟ ଯୋଗାଇବ। ଫଳରେ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ୍ ଶକ୍ତି ସମ୍ପର୍କୀତ ଖର୍ଚ୍ଚ କମ୍ ହେବା ସାଙ୍ଗକୁ ‘କ୍ଲିନ୍ ଏନର୍ଜି, ଗ୍ରିନ୍ ଏନର୍ଜି’ ଲକ୍ଷ୍ୟ ବି ପୂରଣ ହେବ। ବିଶ୍ବବିଦ୍ୟାଳୟରେ ରହିଥିବା ସମସ୍ତ ଛାତ୍ରାବାସର ଛାତରେ ଏହି ସୋଲାର ପ୍ୟାନେଲଗୁଡ଼ିକ ଲାଗିବା ପରେ ସେଥିରୁ ଉତ୍ପନ୍ନ ବିଦ୍ୟୁତ୍ ସବ୍ ଷ୍ଟେସନକୁ ଯିବ। କିନ୍ତୁ କ୍ୟାମ୍ପସରେ ଶ୍ରେଣୀ ଗୃହ, କାର୍ଯ୍ୟାଳୟ, ଛାତ୍ରାବାସ ଆଦିକୁ ମିଶାଇ ମୋଟ ୧୬ଟି ଭିନ୍ନ ଭିନ୍ନ ମିଟର ରହିଥିବାରୁ ସେସବୁକୁ କେନ୍ଦ୍ରୀୟ ମିଟରରେ ସଂଯୋଗ ନକରିବା ଯାଏଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହାଛଡ଼ା ବିଶ୍ବବିଦ୍ୟାଳୟରେ ରହିଥିବା ଇଲେକ୍ଟ୍ରିକାଲ ୱେରିଂ ଓ ଯନ୍ତ୍ରାଂଶ ମଧ୍ୟ ବେଶ୍ ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ମଧ୍ୟ ଆସିଛି। କିନ୍ତୁ ତାହା ୱେସ୍କୋକୁ ପ୍ରଦାନ କରାଯାଇନଥିବା କିମ୍ବା କାମ ଆରମ୍ଭ ହୋଇନଥିବା ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Gangadhar-Meher-University.jpg)