ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଭିନବ ପଦକ୍ଷେପ: କଲେଜରେ ଖୋଲିବ ୨୪ ଘଣ୍ଟିଆ ଲାଇବ୍ରେରୀ; ଫ୍ରି ସମୟରେ କାମ କରି ପାଉଣା ପାଇବେ ଛାତ୍ରଛାତ୍ରୀ

568

କନକ ବ୍ୟୁରୋ: ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ପାଠ ପଢା ସାଙ୍ଗକୁ କିଛି କଲେଜ ଲାଇବ୍ରେରୀରେ କାମ କରି କିଛି ଅର୍ଥ ରୋଜଗାର କରିପାରିବେ ଛାତ୍ରଛାତ୍ରୀ । ଆଜିଠାରୁ ଆରମ୍ଭ ହୋଇଛି ଜିଏମ ବିଶ୍ୱ ବିଦ୍ୟାଳୟର ଏକ ଅଭିନବ ପଦକ୍ଷେପ ।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନାଁକୁ ନେଇ ଯେତିକି ଗର୍ବିତ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପକୁ ନେଇ ସେତିକି ଚର୍ଚ୍ଚିତ । ବିଶ୍ୱବିଦ୍ୟାଳୟ ପଢୁଥିବା ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ଦୁଇ ପଇସା ରୋଜଗାର କରିପାରିବେ । ଯୋଜନା ଅନୁସାରେ ବିଶ୍ୱବିଦ୍ୟାଳୟରେ ୨୪ ଘଂଟିଆ ଲାଇବ୍ରେରୀ ଖୋଲା ହେବ । ଏଠାରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବ । କେବଳ ଅଫିସ ସମୟରେ କର୍ମଚାରୀମାନେ କାମ କରୁଥିବା ବେଳେ ବାକି ସମୟରେ ଛାତ୍ରଛାତ୍ରୀମାନେ ନିୟୋଜିତ ହେବେ । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରିବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏହି ଯୋଜନାରେ ଲାଇବ୍ରେରୀ ସାଇନ୍ସ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । କାରଣ ସେମାନଙ୍କ ପାଠପଢା ସହ ପ୍ରାକ୍ଟିକାଲ ହୋଇପାରିବ । କିନ୍ତୁ ଅନ୍ୟ ଛାତ୍ରଛାତ୍ରୀମାନେ ଆବେଦନ କଲେ ସେମାନଙ୍କୁ ସୁଯୋଗ ମିଳିବ । ଛାତ୍ରଛାତ୍ରୀମାନେ ସକାଳେ ଓ ରାତିରେ କିଛି କିଛି ସମୟ ଲାଇବ୍ରେରୀ କାର୍ଯ୍ୟରେ ଯୋଗଦେବେ । କୂଳପତିଙ୍କ କହିବା ଅନୁସାରେ, ଏହା କୌଣସି ସ୍ଥାୟୀ ନିଯୁକ୍ତି ନୁହେଁ । କିନ୍ତୁ ଏହି ପଦକ୍ଷେପ ଲାଇବ୍ରେରୀ ପ୍ରତି ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ଓ ପାଠପଢା ପ୍ରତି ଆଗ୍ରହ ବଢାଇବ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ଜାରି କରିବା ସହ ଛାତ୍ରଛାତ୍ରୀଙ୍କ ଆବେଦନ ପତ୍ର ଗ୍ରହଣ କରାଯିବ ।