ଟଙ୍କା ଦେଲେ ଟେଷ୍ଟ ନକରି ବି ମିଳୁଛି କୋଭିଡ୍ ରିପୋର୍ଟ : ଅନୁସନ୍ଧାନରୁ ଜଣା ପଡ଼ିଲା ସାଂଘାତିକ ସତ

ସରକାରୀ ହସ୍ପିଟାଲରୁ ଘରୋଇ ଲ୍ୟାବ ସବୁଠି ମାତିଛନ୍ତି ଦଲାଲ; ଆରଟିପିସିଆର ପାଇଁ ୧୨୦୦ ଟଙ୍କା, ଆଂଟିଜେନ ପାଇଁ ଖୁସିରେ ଯେ ଯାହା ଦେଲା

207

କନକ ବ୍ୟୁରୋ : ଟଙ୍କା ଦେଲେ ଟେଷ୍ଟ ନକରି ବି ମିଳୁଛି କୋଭିଡ୍ ରିପୋର୍ଟ । ଅନୁସନ୍ଧାନରୁ ଜଣାପଡିଛି ଜାଲ କୋଭିଡ ରିପୋର୍ଟ ଦେଉଛନ୍ତି ଦଲାଲ । ସରକାରୀ ହସ୍ପିଟାଲରୁ ଆରମ୍ଭ କରି ଘରୋଇ ଲ୍ୟାବ ସବୁଠି ମାତିଛନ୍ତି ଏହି ଦଲାଲ । ଆରଟିପିସିଆର କୋଭିଡ ରିପୋର୍ଟ ପାଇଁ ୧୨୦୦ ଟଙ୍କା ଏବଂ ଆଂଟିଜେନ୍ ପାଇଁ ଖୁସିରେ ଯାହା ଦେଲେ ଚଳିବ । ଏଭଳି କାରବାର ଚାଲିଥିବା ନେଇ ଅନୁସନ୍ଧାନ କରିବାକୁ ଜଣେ ଦଲାଲକୁ ଫୋନ କରାଯାଇଥିଲା । ଛୁଟି ନେଇ ବାହାରକୁ ଯିବାର ଅଛି, ତେଣୁ ଏକ କୋଭିଡ ରିପୋର୍ଟ ଦରକାର କହି ରାଜଧାନୀ ଭୁବନେଶ୍ୱରର ଜଣେ ଦଲାଲକୁ ଫୋନ କରିଥିଲେ ସାମ୍ବାଦିକ ।

ଫୋନରେ ଯୋଗାଯୋଗ କରିବାରୁ ସେପଟୁ ଉତ୍ତର ଆସିଲା ଭୁବନେଶ୍ୱରରେ କୋଭିଡ ପଜିଟିଭଙ୍କ ସଂଖ୍ୟା କମି ଯାଇଥିବାରୁ ଟିକେ ସମସ୍ୟା ହେବ । ତଥାପି ଆଧାରକାର୍ଡ ପଠାଇଲେ ଚେଷ୍ଟା କରିବେ ବୋଲି କହିଥିଲେ ଦଲାଲ ଜଣକ । ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ପଚାରିବାରୁ, ଲ୍ୟାବ ଅନୁଯାୟୀ ରେଟ୍ ଅଲଗା ଅଲଗା ରହିଥିବା କହିଥିଲେ ଦଲାଲ । ତେବେ ଫୋନରେ କଥାବାର୍ତା ପରେ ହ୍ୱାଟ୍ସଆପରେ ଆଧାରକାର୍ଡ ଦିଆଯିବା ସହ ଗୁଗୁଲ ପେ’ରେ ୧୨୦୦ ଟଙ୍କା ପୈଠ କରିଦିଆଗଲା । ସୋମବାର ଅପରାହ୍ନରେ ନମୁନା ସଂଗ୍ରହ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିଗଲା । ଆଉ ମଙ୍ଗଳବାର ସକାଳେ ଆରଟିପିସିଆର କୋଭିଡ ପଜିଟିଭ ରିପୋର୍ଟ ସାମ୍ବାଦିକଙ୍କ ମୋବାଇଲକୁ ପଠାଇଦେଲେ ସଂପୃକ୍ତ ଦଲାଲ ।

ଗୁଗୁଲ ପେ’ରୁ କରାଯାଇଥିବା ପେମେଂଟର ସ୍କ୍ରିନସଟ ଓ ମିଳିଥିବା ଆରଟିପିସିଆର ପଜିଟିଭ ରିପୋର୍ଟ । ୧୨୦୦ ଟଙ୍କା ଦେଇ ଘରେ ବସି ମିଳି ଯାଉଛି କୋଭିଡ ପଜିଟିଭ ରିପୋର୍ଟ । ଅର୍ଥାତ ଆପଣଙ୍କଠାରେ କୋଭିଡ ଲକ୍ଷଣ ଥାଉ କି ନଥାଉ, ନମୂନା ପରୀକ୍ଷା କରିବା ମଧ୍ୟ ଦରକାର ନାହିଁ । ହସ୍ପିଟାଲ କିମ୍ବା ଘରୋଇ ଲ୍ୟାବକୁ ନଗଲେ ମଧ୍ୟ ମିଳିଯିବ କୋଭିଡ ରିପୋର୍ଟ । ଅନୁସନ୍ଧାନରୁ ଏହି ତଥ୍ୟ ପ୍ରଘଟ ହେବା ପରେ ରାଜଧାନୀ ଭୁବନେଶ୍ୱରରେ କାହିଁକି କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନାହିଁ, ତାର ପର୍ଦ୍ଦାଫାସ ହୋଇଥିବା ଅନୁମାନ ।