କନକ ବ୍ୟୁରୋ : ଆଖି ବୁଜିଦେଲା ଆଉ ଏକ ନିର୍ଭୟା । ଜୀବନ ଯୁଦ୍ଧରେ ହାରିଗଲା ହାଥରସର ନିର୍ଭୟା । ଗଣଦୁଷ୍କର୍ମ ପରେ ମୃତ୍ୟୁ ସହ ଲଢେଇ କରି ଆଖି ବୁଜିଛି ଦୁଷ୍କର୍ମ ପୀଡିତା । ଉତ୍ତର ପ୍ରଦେଶ ହାଥରସରେ ଗତ ୧୪ ତାରିଖରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି । ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ସହ ମୁକାବିଲା କରି ଶେଷରେ ହାରିଯାଇଛନ୍ତି ଯୁବତୀ ।
କେମିତି ଥିଲା ସେହି ଛାତିଥରା ଘଟଣା?
ତେବେ ୟୁପିର ୧୯ ବର୍ଷୀୟ ଯୁବତୀଙ୍କ ଗଣଦୁଷ୍କର୍ମର କାହାଣୀ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ । ଜଘନ୍ୟକାଣ୍ଡର ଲୋକଟାଙ୍କୁରା ଘଟଣା ଶୁଣିଲେ ଆପଣ ବି କାନରେ ହାତ ଦେଇଦେବେ । ତେବେ ଗତ ୧୪ ତାରିଖ ଦିନ ଚନ୍ଦପା ଥାନା ଅଞ୍ଚଳର ଏକ ଗାଁରେ ଜଣେ ଦଳିତ ଯୁବତୀଙ୍କୁ ୪ ଜଣ ଯୁବକ ବିଲ ମଝିକୁ ଉଠାଇ ନେଇଥିଲେ । ଶୁନଶାନ ବିଲରେ କେହି ନଥିବାରୁ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲେ ଚାରି ଚାରି ଜଣ ସୈତାନ । ଯୁବତୀ ଜଣଙ୍କ ବଞ୍ଚିବା ପାଇଁ ଯେତେ ଉଦ୍ୟମ କଲେ ବି, ଗଳା ଫଟାଇ ଯେତେ ଚିକ୍ରାର କଲେ ବି ନିରିହ ଯୁବତୀଙ୍କ ସ୍ୱର କାହାରି କାନରେ ପଡିନଥିଲା । ବରଂ ଯୁବତୀଙ୍କ ଗଳାଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ନର ରାକ୍ଷସ ।
ହେଲେ ସେତିକିରେ ସରିନଥିଲା ୪ ପିଶାଚଙ୍କ ପାଶବିକତା । ଦୁଷ୍କର୍ମ ପରେ କାଳେ ଯୁବତୀ ଜଣଙ୍କ ସେମାନଙ୍କ ଜଘନ୍ୟକାଣ୍ଡର ପର୍ଦ୍ଦାଫାଶ କରିଦେବେ, ଅନ୍ୟମାନଙ୍କୁ କହିଦେବେ । ସେଥିପାଇଁ ଅତି ଅମାନୁଷିକ ଭାବେ ଯୁବତୀଙ୍କ ଜିଭ କାଟିଦେଇଥିଲେ ୪ ଜଣ ଯୌନ ରାକ୍ଷସ । ତେବେ ଦୁଷ୍କର୍ମ ପରେ ଯୁବତୀଙ୍କ ଜିଭ ସହ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆଲିଗଡ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଶେଷରେ ମୃତ୍ୟୁ ସହ ଲଢେଇ କରି କରି ଜୀବନ ବାଜିରେ ପରାସ୍ତ ହୋଇଛନ୍ତି ପୀଡିତା ।
ୟୁପି ହାଥରସ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ସମାଜରେ କ’ଣ ପାଇଁ ଏ କଳଙ୍କିତ ଅଧ୍ୟାୟର ପୁନରାବୃତି ହେଉଛି, ସମାଜର ଗତି କୁଆଡେ, ଘଟୁଛି କ’ଣ ? ଏ ସବୁ ପ୍ରଶ୍ନ ଏବେ ଚିନ୍ତା ବଢାଇଛି । ଗତ ୨୭ ତାରିଖ ଦିନ ସାରା ଦେଶ ପାଳିଥିଲା କନ୍ୟା ଦିବସ । ଝିଅକୁ ନେଇ ଦେଖିବାକୁ ମିଳିଥିବା ଅନେକ କାହାଣୀ, ଅନେକ କଥା । ସୋସିଆଲ ମିଡିଆରେ ନିଜ ନିଜ ଝିଅର ଫଟୋ ପକାଇ କିଏ ଝିଅକୁ କୋହିନୂର, ତ କିଏ ଆକାଶର ପରୀ କହି ନିଜ ମନକଥା ଲେଖିଥିଲେ । ହେଲେ କନ୍ୟା ଦିବସର ଠିକ ୧୩ ଦିନ ପୂର୍ବରୁ ଏଇ ମଣିଷ ସମାଜରେ କିଛି ପିଶାଚ ପରୀକୁ ମାରିଦେଲେ । ଆଉ କନ୍ୟା ଦିବସର ଠିକ ୨ ଦିନ ପରେ ଏ ସମାଜରୁ ଜଣେ କନ୍ୟା ରତ୍ନକୁ ଦୂରେଇଗଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ସମାଜରେ ଲୋକେ କନ୍ୟା ଦିବସ ପାଳୁଛନ୍ତି ସେହି ଶିକ୍ଷିତ ସମାଜର ମଣିଷମାନେ କେମିତି ଅମଣିଷ ପାଲଟୁଛନ୍ତି ।
ସୋସିଆଲ ମିଡିଆରେ ସକେଇ ହେଉଥିବା ଲୋକେ ଭିତରେ ଭିତରେ ଯୌନ ପିପାସୁ ସାଜି କେମିତି ଜଣେ ନିରୀହ ଯୁବତୀକୁ ଝୁଣି ଖାଉଛନ୍ତି ଆଉ ତାର ଜୀବନ ପିଇଯାଉଛନ୍ତି । ନିର୍ଭୟାଠୁ ଉନ୍ନାଓ, କୁନ୍ଦୁଲିଠୁ ପିପିଲି । ଦୁଷ୍କର୍ମ ପରେ ଏମାନଙ୍କୁ ନ୍ୟାୟ ଦେବାକୁ ଅନେକ ରାଜରାସ୍ତାକୁ ଓହ୍ଲାଇ ଆସନ୍ତି । ଶ୍ରଦ୍ଧାଞ୍ଜଳି ଦେବାକୁ ନିରବରେ ମହମବତୀ ରାଲି କରନ୍ତି । ହେଲେ କ୍ୟାଣ୍ଡେଲ ରାଲି କରୁଥିବା ସବୁ ମଣିଷ ଯେ ଭଲ ତାହା ଭାବିବା ଭୁଲ । କାରଣ ଏବେବି ଆମ ଭିତରେ ଘୁରିବୁଲୁଛନ୍ତି ଅନେକ ଯୌନ ପିପାସୁ, ନର ରାକ୍ଷସ । ଯାହା ୟୁପି ହାଥରସର ହୃଦୟଥରା ଘଟଣା ପ୍ରମାଣିତ କରୁଛି ।