ଲିଫ୍ଟ ଦେବା ବାହାନାରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସହପାଠୀ । ଥାନାରେ ଅଭିଯୋଗ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

788

କନକ ବ୍ୟୁରୋ : ସୁନ୍ଦରଗଡରୁ ପୁଣି ଆସିଛି ସମ୍ବେଦନଶୀଳ ଘଟଣା । କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେବା ବାହାନାରେ ଜଙ୍ଗଲକୁ ଜୋର ଜବରଦସ୍ତି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠୁ ବଡ କଥା ହେଉଛି ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଛାତ୍ରୀଙ୍କର ସହପାଠୀ ରହିଛନ୍ତି । ଆଉ ଏଭଳି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୋଗ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଛାତ୍ରୀଙ୍କର ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ମାସ ୨୬ ତାରିଖରେ କଲେଜ ଯିବା ପାଇଁ ସୁନ୍ଦରଗଡଠାରେ ଛାତ୍ରୀ ଜଣକ ଛିଡା ହୋଇଥିବା ସମୟରେ ଦୁଇ ଜଣ ସହପାଠୀ ବାଇକରେ ଆସି କଲେଜରେ ଛାଡି ଦେବା ପାଇଁ କହିଥିଲେ । ଛାତ୍ରୀ ଜଣକ ରାଜି ହେବା ପରେ ତାଙ୍କୁ ବାଇକରେ ବସାଇ ନେଇଥିଲେ ସହପାଠୀ । ତେବେ ଅଧବାଟରେ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲକୁ ଜୋର ଜବରଦସ୍ତି ଛାତ୍ରୀ ଜଣଙ୍କୁ ନେଇ ଯାଇଥିଲେ ସହପାଠୀ । ପରେ ତାଙ୍କର ଆଉ ଦୁଇ ସହପାଠୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମ କରିବା ପରେ ଛାତ୍ରୀ ଜଣଙ୍କୁ ସେଠାରୁ ଛାଡି ପଳାଇ ଯାଇଥିଲେ ଅଭିଯୁକ୍ତ । ଆଉ ଏହି କଥାକୁ ପ୍ରଘଟ ନ କରିବାକୁ ଧମକ ମଧ୍ୟ ଦେଇଥିଲେ । ଆଉ ସେହି ଭୟ ଓ ଲୋକଲଜ୍ଜାକୁ ଡରି ଛାତ୍ରୀ ଜଣକ କାହାକୁ କିଛି କହି କହିନଥିଲେ । କିନ୍ତୁ ଦୁଷ୍କର୍ମ ପରେ ଛାତ୍ରୀ ଜଣକ କଲେଜ ଯିବା ଏକପ୍ରକାର ବନ୍ଦ କରିଦେବା ସହ ଚୁପଚାପ ରହୁଥିଲେ । ତେବେ ଛାତ୍ରୀ ଜଣକ ଏଭଳି ଆଚରଣ ଦେଖି ପରିବାର ଲୋକ ସନ୍ଦେହ କରିବା ପରେ ପୂରା ଘଟଣା ପଦାକୁ ଆସିଥିଲା । ପରେ ସୁନ୍ଦରଗଡ ଥାନାରେ ଏନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଆଉ ଏହାସହ ଦୁଷ୍କର୍ମରେ ବ୍ୟବହାର ହୋଇଥିବା ବାଇକକୁ ମଧ୍ୟ ଜବତ କରିଛି ।