ନିମାପଡ଼ାରେ ନାରକୀୟ କାଣ୍ଡ, ଲଜ୍ଜାରେ ନଇଁଗଲା ମୁଣ୍ଡ: କୁଶଭଦ୍ରା ନଦୀପଠାରେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

805

କନକ ବ୍ୟୁରୋ: ହସପିଟାଲରେ ଜଣେ ମହିଳା ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ୪ ଜଣ ସଇତାନ ତାଙ୍କର ଏଭଳି ଅବସ୍ଥା କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ପ୍ରବଳ ରକ୍ତସ୍ରାବ ହେଉଛି, ଏବଂ ସେ ଗୁରୁତର ଅଛନ୍ତି । ପୁଲିସ ଯାଇ ତାଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଛି । ଇଏ ଏମିତି ଏକ ଘଟଣା ଯାହାକୁ ଜାଣିଲେ ଲଜ୍ଜାରେ ମୁଣ୍ଡ ତଳକୁ ନଇଁଯିବ । ମଣିଷର ଏପରି ସଇତାନ ଆଚରଣ ଜାଣିଲେ ମନରେ କ୍ରୋଧ ଆସିବ ।

୨୨ ବର୍ଷୀୟା ମହିଳା, ସ୍ୱାମୀଙ୍କ ସହ ଶୌଚ ହେବା ପାଇଁ କୁଶଭଦ୍ରା ନଦୀକୁ ଯାଇଥିଲେ । ଶୌଚ ହେବା ପରେ ସ୍ୱାମୀ ଆଗେ ଆଗେ ଆସୁଥିଲେ । ପଛରେ ଆସୁଥିଲେ ମହିଳା । ହେଲେ ପୂର୍ବରୁ ଛକି ରହିଥିବା ୪ ଜଣ ସଇତାନଙ୍କ ହାବୁଡ଼ରେ ପଡି ଯାଇଥିଲେ ପୀଡ଼ିତା । ଅନ୍ଧାର ରାତିର ସୁଯୋଗ ନେଇ ମହିଳାଙ୍କ ପାଟିକୁ ଗାମୁଛାରେ ବନ୍ଦ କରି ଭିଡ଼ି ନେଇଥିଲେ । ଏହାପରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ମହିଳା ।

ମହିଳା ଜଣଙ୍କ ଘରକୁ ଆସିବାରେ ବିଳମ୍ବ ହେବାରୁ ନଦୀ କୂଳକୁ ପୁଣି ଫେରିଥିଲେ ସ୍ୱାମୀ । ସେଠାରେ ସେ ଯାହା ଦେଖିଲେ, ପାଦ ତଳୁ ତାଙ୍କର ମାଟି ଖସି ଯାଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ । ପୀଡ଼ିତାଙ୍କ ଅଭିଯୋଗକୁ ଭିତି କରି କାକଟପୁର ଥାନା ଅଂଚଳର ୪ ଜଣ ଯୁବକଙ୍କୁ ଅଟକ ରଖି ପଚାରଉଚରା କରୁଛି ପୁଲିସ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତା । ଗଣଦୁର୍ଷ୍କମର ଶିକାର ହୋଇଥିବା ପୀଡ଼ିତା ଜଣକ ଅନୁସୂଚିତ ଜାତିର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।