କନକ ବ୍ୟୁରୋ: ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ସମୟରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗଣେଶ୍ୱର ବେହେରା । ଲେଖାଶ୍ରୀ ବିଜେପି ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ଆଉ ଏବେ ସେ ବିଜେଡିରେ ସାମିଲ ହୋଇ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଗଣେଶ୍ୱର ବେହେରା ବିଜେଡି ଟିକେଟ୍ ପାଇବେ ବୋଲି ଚର୍ଚ୍ଚା ହେଉଛି ।

Advertisment

ଗଣେଶ୍ୱର ବେହେରା, ପ୍ରାୟ ୪ଦଶନ୍ଧୀ ହେଲା କଂଗ୍ରେସରେ ରହିଥିଲେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନିଜ ସମର୍ଥକଙ୍କ ସହ ଶଙ୍ଖଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି । ଆଉ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟରେ ବିକାଶ ପାଇଁ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସାମିଲ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଣେଶ୍ୱର । ଚର୍ଚ୍ଚା ହେଉଛି, କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ।

ଗଣେଶ୍ୱରଙ୍କ ରାଜନୈତିକ କ୍ୟାରିୟର

  • ପଟ୍ଟାମୁଣ୍ଡାଇରୁ ୨ ଥର ବିଧାୟକ ରହିଛନ୍ତି ଗଣେଶ୍ୱର
  • ୧୯୮୫ ଓ ୧୯୯୫ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
  • କଂଗ୍ରେସ ସରକାରରେ ସେ ମନ୍ତ୍ରୀ ରହିଥିଲେ
  • ଏହାପରେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାରୁ ୫ ଥର ନିର୍ବାଚନ ଲଢ଼ିଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା

କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସବୁବେଳେ ସେ ଚର୍ଚ୍ଚାରେ ରହୁଥିଲେ । ବିଜେପି ଟିକେଟରୁ ବଞ୍ଚିତ ହେବା ପରେ ଦଳ ସହ ପ୍ରାୟ ୧୦ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ସେ ଯୋଗ ଦେଇଛନ୍ତି । ମିଶ୍ରଣ ଉତ୍ସବରେ ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଲେଖାଶ୍ରୀ କହିଛନ୍ତି, ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଖୋଲା ହୃଦୟରେ ବିଜେଡି ତାଙ୍କୁ ଗ୍ରହଣ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • ବାଲେଶ୍ୱର ଲୋକସଭାରୁ ଲଢ଼ିବେ କି ଲେଖାଶ୍ରୀ?
  • ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ପ୍ରାର୍ଥୀ କରିବ କି ବିଜେଡି?

ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ନବୀନ ନିବାସରେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, ଏ ନେଇ ଗଣମାଧ୍ୟମକୁ କିଛି କହିନାହାନ୍ତି ଉଭୟ ନେତା । ତେବେ ବାଲେଶ୍ୱରରୁ ଲେଖାଶ୍ରୀ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚାକୁ ଏହା ବଢ଼ାଇ ଦେଇଛି ।