୧୯ ଲକ୍ଷ ଟଙ୍କାରେ ନିଲାମ ହେଲା ପ୍ରଭୁ ଗଣେଶଙ୍କ ଲଡୁ ।

258

କନକ ବ୍ୟୁରୋ : ମୁଖ୍ୟତଃ ହାଇଦ୍ରାବାଦର ବାଲାପୁର ଅଞ୍ଚଳରେ ଗଣେଶ ପୂଜାରେ ଲଡ଼ୁର ସ୍ୱତନ୍ତ୍ରତା ରହି ଆସିଛି । ରବିବାର ହାଇଦ୍ରାବାଦର ବାଲାପୁର ଗଣେଶଙ୍କ ସବୁଠାରୁ ଲୋକପ୍ରିୟ ୨୧ କିଲୋର ଲଡୁ ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳିନ ରେକର୍ଡ ସହିତ ନିଲାମ ହୋଇଛି ।

ଆନ୍ଧ୍ରପ୍ରଦେଶର MLA ରମେଶ ଯାଦବ ତେଲେଙ୍ଗାନାର ନାଦରଗୁଲ ନିବାସୀ ବ୍ୟବସାୟୀ ମେରି ଶଶାଙ୍କ ରେଡ୍ଡିଙ୍କ ସହିତ ମିଶି ଏହି ପ୍ରସିଦ୍ଧ ଲଡୁ କିଣିଛନ୍ତି । ଏହି ଲଡୁର ନିଲାମ ୧,୧୧୮ଟଙ୍କାରୁ ଆରମ୍ଭ ହୋଇଥିଲା । ରମେଶ ଯାଦବ ଏହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଉପହାରରେ ଦେଇଛନ୍ତି । କୋଲାନୁ ରାମ ରେଡ୍ଡି ଜଣେ ବ୍ୟବସାୟୀ ଓ କୃଷକ ମଧ୍ୟ । ସେ ୨୦୧୯ରେ ୧୭.୬୦ଲକ୍ଷ ଟଙ୍କାରେ ଏହି ଲଡୁକୁ କିଣିଥିଲେ । ସେ ବି ଚଳିତ ବର୍ଷ ଅନ୍ୟ ଲୋକଙ୍କ ଭଳି ଏହି ନିଲାମରେ ଭାଗ ନେଇଥିଲେ । ଏହି ନିଲାମକୁ ଦେଖିବା ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ପି. ସବିତା ଇନ୍ଦ୍ରା ରେଡ୍ଡି, ପୂର୍ବତନ ବିଧାୟକ ଟି. କୃଷ୍ଣା ରେଡ୍ଡି ଓ ଅନ୍ୟ ରାଜନେତାମାନେ ଉପସ୍ଥିତ ଥିଲେ ।

ସର୍ବପ୍ରଥମେ ଏଠାରେ ୧୯୯୪ ମସିହାରେ ଲଡ଼ୁ ନିଲାମ ହେବାର ପକ୍ରିୟା ଆରମ୍ଭ ହୋଇଥିଲା । ସେ ସମୟରେ ୪୫୦ ଟଙ୍କା ଦେଇ ସେ ଅଞ୍ଚଳର କେ.ରାମମୋହନ ରେଡ୍ଡି ଗଣେଶଙ୍କ ଲଡୁ ନିଲାମରେ କିଣିଥିଲେ । ଏହି ଟଙ୍କା ସେହି ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ କରାଯାଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ଏଠାରେ ଗଣେଶଙ୍କର ଲଡୁର ନିଲାମ କରାଯାଇଥାଏ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଏହି ନିଲାମକୁ ଦେଖିବା ସହ ନିଲାମରେ ଅଂଶଗ୍ରହଣ କରିବାକୁ ଆସିଥାନ୍ତି । ପୂରା ରାଜ୍ୟରେ ଏହି ଲଡ଼ୁକୁ ସମସ୍ତେ ଭଗବାନଙ୍କ ଆର୍ଶୀବାଦ ବୋଲି ଗ୍ରହଣ କରିଥାନ୍ତି ।