ଏଥର ଧୋକା ଦେବନି ତ କରୋନା, ଆଶା ଆଶଙ୍କାରେ ମୂର୍ତ୍ତି କାରିଗର ।

88

କନକ ବ୍ୟୁରୋ : ପାଖେଇ ଆସୁଛି ପାର୍ବଣର ଋତୁ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ତିଆରି କାମ ଜାରି ରଖିଛନ୍ତି । ଆଗକୁ ବିଘ୍ନରାଜ ଗଜାନନଙ୍କ ପୂଜା ପଡ଼ୁଥିବା ବେଳେ ଗଣେଶଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି କାରିଗର । ଚଳିତ ବର୍ଷ କରୋନା କଟକଣା ଭିତରେ ପାଳନ ହେବ ପୂଜା ପାର୍ବଣ । ତେବେ ମୂର୍ତ୍ତି କାରିଗର ମାନେ ତାଙ୍କ ବ୍ୟବସାୟକୁ ନେଇ ଚିନ୍ତାରେ ଅଛନ୍ତି ।

ପାଖେଇ ଆସୁଛି ଗଣେଶ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି କଟକ ଜିଲ୍ଲା ମହାକାଳପଡ଼ା ଗାଁ । ଶିଳ୍ପୀଙ୍କ ରଙ୍ଗ ତୁଳୀରେ ଜୀବନ୍ତ ହୋଇ ଉଠିଛି ମାଟିର ମୂର୍ତ୍ତି । ମୂର୍ତ୍ତି ତିଆରି କାମ ପ୍ରାୟ ସରିଆସିଲାଣି । କେବଳ ଶେଷ ସ୍ପର୍ଶକୁ ଅପେକ୍ଷା । ଏହି ଗାଁରେ ପାଖାପାଖି ୫୦ଟି ପରିବାର ମୂର୍ତ୍ତି ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ଚଳିତ ବର୍ଷ କରୋନା କଟକଣା ପାଇଁ ବ୍ୟବସାୟକୁ ନେଇ ଆଶା ଆଶଙ୍କାରେ କାରିଗର ।

ମହାକାଳପଡ଼ାର ବହୁ କୁମ୍ଭାର ପରିବାର ମୂର୍ତ୍ତି ତିଆରି କରି ଓଡ଼ିଶାର କୋଣ ଅନୁକୋଣରେ ଖ୍ୟାତି ଅର୍ଜନ କରିଛନ୍ତି । ପିଢି ପରେ ପିଢି ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରୁଛନ୍ତି । ପୂର୍ବ ବର୍ଷ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ତିଆରି କରିଥିଲେ, କିନ୍ତୁ ବିକ୍ରି ହୋଇ ପାରିନଥିଲା । ତେବେ ଚଳିତ ବର୍ଷ ମଧ୍ୟ କରୋନା କଟକଣା ରହିଛି । ତଥାପି ମୂର୍ତ୍ତି ବିକି କିଛି ରୋଜଗାରର ଆଶା ରଖିଛନ୍ତି କାରିଗର ।