କରୋନା କଟକଣା ଭିତରେ ଆଜି ବିଘ୍ନବିନାଶକଙ୍କ ଆରାଧନା: ଘରେ ଘରେ ପୂଜା ପାଇବେ ଗଣନାଥ; ସାର୍ବଜନୀନ ପୂଜା ଉପରେ ଲାଗିଛି ରୋକ୍

ସେପଟେ ଆସନ୍ତାକାଲି ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡିଶାରେ ଉତ୍ସାହ ଲହରୀ

210

କନକ ବ୍ୟୁରୋ: ଆଜି ଭାଦ୍ରବ ଶୁକ୍ଲ ଚତୁର୍ଥୀ । ବିଘ୍ନ ବିନାଶକ ପାର୍ବତୀ ସୁତ ଗଣେଶଙ୍କ ଆରାଧନାର ଦିନ । କରୋନା କଟକଣା ଯୋଗୁଁ ଗଣେଶ ପୂଜା ନେଇ ସେହି ଭଳି ଉତ୍ସାହ ନାହିଁ । କାରଣ ସାର୍ବଜନୀନ ସ୍ଥାନରେ କିମ୍ବା କୌଣସି ଅନୁଷ୍ଠାନରେ ବହୁ ଲୋକଙ୍କ ଉପସ୍ଥିତିରେ ଗଣେଶପୂଜାକୁ ବାରଣ କରାଯାଇଛି । ତଥାପି ଘରେ ଘରେ ପୂଜା କରିବା ପାଇଁ ଅନୁମତି ରହିଛି । ଫଳରେ ଲୋକମାନେ ନିଜ ନିଜ ଘରେ ଆଦ୍ୟଦେବ ଗଣପତିଙ୍କ ଆରାଧନା ପାଇଁ ପ୍ରସ୍ତୁତି କରିଛନ୍ତି ।

ଆସନ୍ତାକାଲି ଋଷି ପଂଚମୀ । ଏହି ଦିନ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କିଛିଟା ଫିକା ପଡିଯାଇଛି ନୂଆଖାଇ ପ୍ରସ୍ତୁତି । ଏଥର ଘରେ ରହି ନୂଆଖାଇ ପାଳନ କରିବେ ପଶ୍ଚିମ ଓଡିଶାବାସୀ । ତଥାପି ବର୍ଷକ ପରେ ଆସିଥିବା ଏହି ପର୍ବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ନବାହ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଏହି ଲଗ୍ନ ଆଧାରରେ ଲୋକମାନେ ନୂଆଖାଇବେ ।

କୃଷିଭିତିକ ବର୍ଷ ନୂଆଖାଇ ପାଇଁ ନୂଆଧାନରେ ଚାଉଳରେ ଚୁଡା କରି ନିଜ ଇଷ୍ଟଦେବାଦେବୀ ଓ ଗାଁ ଦେବୀଙ୍କ ନିକଟରେ ପୂଜା କରିବା ସହ ପରିବାରର ସମସ୍ତେ ଏକାଠି ବସି ନୂଆ ଅନ୍ନ ଖାଇଥାନ୍ତି । ସେପଟେ ସୁନ୍ଦରଗଡ ନୂଆଖାଇରେ ମୁଖ୍ୟ ବିଶେଷତ୍ୱ ହେଉଛି ଆଦିବାସୀ ସଂପ୍ରଦାୟର ପୂଜାପାଠ ଓ ନାଚଗୀତ । ଆଦିବାସୀମାନେ ସରକାରଙ୍କ କରୋନା କଟକଣା ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ନିଜ ଘରେ ପରିବାର ଲୋକଙ୍କ ସହ ଭେଟ ଘାଟ ଓ ନାଚଗୀତ କରିବା ପାଇଁ କଳାକାର ପ୍ରସ୍ତୁତି କରୁଛନ୍ତି । ଢୋଲ, ନିଶାନ ଆଉ ତାସା ସହ ନାଗରା ବାଜାଇ ଅଭ୍ୟାସ ଜାରି ରଖିଛନ୍ତି ଆଦିବାସୀ ।