ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଆସନ୍ତାକାଲିଠାରୁ ସମଗ୍ର ଦେଶରେ ବଡ଼ ଆଡ଼ମ୍ବରର ସହିତ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ଷକ ପାଇଁ କାର‌୍ୟ୍ୟକ୍ରମ ହାତକୁ ନେଉଛନ୍ତି। ଖୋଦ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସ୍ତରରେ ଏ ନେଇ ଆଲୋଚନା ପରେ ୬ଟି କମିଟି ଗଠନ କରାଯାଇଛି। ଏଥିରେ ୧୫ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏମାେନ ଆସନ୍ତାବର୍ଷ ଅକ୍ଟୋବର ୨ ପର‌୍ୟ୍ୟନ୍ତ ବିଭିନ୍ନ କାର‌୍ୟ୍ୟକ୍ରମ ହାତକୁ ନେବେ।

Advertisment

publive-image

ଏପଟେ ରାଜ୍ୟ ସରକାର ଦୀର୍ଘ ଦୁଇବର୍ଷ ଧରି ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କମିଟି ବୈଠକରେ ଏ ନେଇ କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି। ରାଜ୍ୟ ସରକାର ସ୍ଥିର କରିଛନ୍ତି ଯେ ଆସନ୍ତାକାଲି ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିକୁ ବିଦ୍ୟାଳୟ , ପୌରସ˚ସ୍ଥା, ପଞ୍ଚାୟତ ସମସ୍ତେ ପାଳିବେ। ଏହି ଅବସରରେ ପ୍ରତି ବ୍ଲକର ଗୋଟିଏ ପଞ୍ଚାୟତ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ କରାଯିବ ବୋଲି ମଧ୍ୟ ଯୋଜନା ହୋଇଛି। ୨୦୧୯ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସରକାର ବିଚାର କରୁଥିବା ବେଳେ ମାର୍ଚ୍ଚ ୨୩ରେ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନ ପାଇଁ କଟକରେ କାର‌୍ୟ୍ୟକ୍ରମ ହାତକୁ ନିଆଯିବ।
ସେହିଭଳି ପ୍ରତି ଜିଲ୍ଲାର ଗୋଟିଏ ରାସ୍ତା ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ କରିବା ଲାଗି ଯୋଜନା ହୋଇଥିବା ବେଳେ ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ସ୍ମୃତି ସ୍ତମ୍ଭ ବା ଭବନ କରାଯିବାକୁ ପ୍ରସ୍ତାବ ରହିଛି। ସବୁ ସ୍ଥାନରେ ଏହି ଅବସରରେ ଲୋଗୋ ରହିବ ଓ ବନ୍ଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ଲାଗି ସଂସ୍କୃତି ବିଭାଗ ପ୍ରସ୍ତାବ ରଖିଛି। ଯୁକ୍ତ ଦୁଇ ପାଠ୍ୟକ୍ରମରେ ଗାନ୍ଧୀଙ୍କୁ ସ୍ଥାନ ଦେବା ଲାଗି ମଧ୍ୟ ସରକାର ମନସ୍ଥ କରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଠାରୁ ୫ଟି ମହାନଗର ନିଗମ ଓ ପୁରୀରେ ସରକାର ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ କାର‌୍ୟ୍ୟକାରୀ ହେବ। ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୨୫ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ କାର‌୍ୟ୍ୟାରମ୍ଭର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହା ସହିତ ରାଜଧାନୀରେ ଏକାଧିକ କାର‌୍ୟ୍ୟକ୍ରମ ସରକାର ଆରମ୍ଭ କରିବେ ବୋଲି ଯୋଜନା କରିଛନ୍ତି।