ରାଜନୀତି ପାଇଁ ଗାନ୍ଧୀ ଆଦର୍ଶ : ବିଜେଡି ଆରମ୍ଭ କଲା ଜନ ସମ୍ପର୍କ ପଦଯାତ୍ରା; ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ, ବିଜେପିର ମୋ ମାଟି ମୋ ଦେଶ ଅଭିଯାନ
କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନେଇ ତେଜୁଛି ରାଜନୀତି । ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ବିଜେଡି ସ୍ରୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ବଡଗଡ଼ କଳିଙ୍ଗ ବିଜୁ ଆଦର୍ଶ କଲୋନିରେ ପଦଯାତ୍ରା ଆରମ୍ଭ କରିଛନ୍ତି । ଡିସେମ୍ବର ୨୬ ତାରିଖ ଯାଏ ଚାଲିବାକୁ ଥିବା ଏହି ପଦଯାତ୍ରା ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରେ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ, ବୃକ୍ଷରୋପଣ ସମେତ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା ରଖିଛି ବିଜୁ ଜନତା ଦଳ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଯୋଜନା ରଖିଛି କଂଗ୍ରେସ । ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର କାଳୀ ମନ୍ଦିର ପାଖରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ ସଭାପତି, ପୂର୍ବତନ ପିସିସ ସଭାପତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏସବୁ ଭିତରେ ଭାରତୀୟ ଜନତା ପାର୍ଟି ମଧ୍ୟ ମହାପୁରୁଷଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ ଅଭିଯାନ ଜାରି ରଖିଛି । ଗାନ୍ଧୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନିତ କରୁଛି ବିଜେପି ।
ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିଥିବା ଜନସମ୍ପର୍କ ପଦଯାତ୍ରା ଡିସେମ୍ବର ୨୬ ତାରିଖ ଯାଏ ଚାଲିବ । ଏହାରି ଭିତରେ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ଅକ୍ଟୋବର ୧୧ରେ ଜୟପ୍ରକାଶ ନାୟକ ଜୟନ୍ତୀ ପାଳନ କରାଯିବ । ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୁରୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଯୋଜନା ରଖିଛି ଦଳ । ଏହି ଅବସରରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଓ ପ୍ରଶିକ୍ଷକ କାର୍ଯ୍ୟକ୍ରମ କରାଯିବ । ପ୍ରତ ୱାର୍ଡରେ ପହଂଚି ବିଜେଡି ସରକାରର ସଫଳତା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବ ବିଜୁ ଜନତା ଦଳ ।
ଏପଟେ କଂଗ୍ରେସ ଦଳ ପଦଯାତ୍ରା ଜରିଆରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଭୁବନେଶ୍ୱରରେ ଆଜି ପଦଯାତ୍ରା ଜରିଆରେ ଗାନ୍ଧୀ ଆଦର୍ଶର କଥା କହିଛି ଦଳ । ଏଥିରେ ପ୍ରଦେଶ କଂଗ୍ରେସ ସଭାପତି, ପୂର୍ବତନ ପିସିସ ସଭାପତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।
ଗାନ୍ଧୀ ଜୟନ୍ତୀର ଅବସରକୁ ହାତଛଡା କରିବାକୁ ଚାହିଁନି ଭାରତୀୟ ଜନତା ପାର୍ଟି । ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି ବିଜେପି । ଏହି କାର୍ଯ୍ୟକ୍ରମ ଜରିଆରେ ମହାପୁରୁଷ ଏବଂ ସହୀଦ ଯବାନଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ କରି ଦେଶଭକ୍ତିର ଭାବନା ଜାଗ୍ରତ କରିବାକୁ ଦଳ ଉଦ୍ୟମ କରୁଛି ।