ଆଗାମୀ ବର୍ଷେ ପାଇଁ ସୋନିଆଙ୍କ ହାତରେ ରହିବ କଂଗ୍ରେସ କମାଣ: ନିରଂଜନ କହିଲେ, ବର୍ତମାନ ସ୍ଥିତିରେ କଂଗ୍ରେସକୁ ଭରସା ଗାନ୍ଧୀ ପରିବାର

139

କନକ ବ୍ୟୁରୋ: ଆଗାମୀ ବର୍ଷେ ପାଇଁ ସୋନିଆଙ୍କ ହାତରେ ରହିବ କଂଗ୍ରେସ ଦାୟିତ୍ୱ । ଗତକାଲି ସିଡବ୍ଲୁସି ବୈଠକ ପରେ ଏକଥା ସ୍ପଷ୍ଟ ହୋଇଯାଇଛି । ଏପରିକି ସେପ୍ଟେମ୍ବର ୨୦୨୨ରେ କଂଗ୍ରେସ ସଭାପତି ନିର୍ବାଚନ ପରେ ମଧ୍ୟ ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସର ନେତୃତ୍ୱ । କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନିର୍ବାଚନ ନେଇ ମାନସମନ୍ଥନ ହୋଇଛି । ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଂଟୋନୀ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱ ନେବା ପାଇଁ ଅନୁରୋଧ କରିଥିଲେ ।

ରାହୁଲ ମଧ୍ୟ ଏବାବଦରେ ବିଚାର କରିବେ ବୋଲି ସମ୍ମତି ଜଣାଇଛନ୍ତି । ଅର୍ଥାତ୍ ୨୦୧୯ ନିର୍ବାଚନ ପରାଜୟ ପରେ ରାହୁଲ ପଦ ଛାଡିବା ଏବଂ ଗାନ୍ଧୀ ପରିବାର ବାହାରେ କେହି ନେତା କଂଗ୍ରେସର ଦାୟିତ୍ୱ ନେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ପ୍ରାୟ ଦେଢ ବର୍ଷ ହେଲା ନୂଆ ସଭାପତି ନିର୍ବାଚନ ପାଇଁ ଦାବି ଉଠୁଥିବା ବେଳେ ଜି-୨୩ ନେତା ରାହୁଲଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ହେଲେ ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀରୁ ଯେଉଁ ସଙ୍କେତ ମିଳିଛି, ସେଥିରୁ ସ୍ପଷ୍ଟ ହେଉଛି ଏହି ସର୍ବପୁରାତନ ଦଳର ଦାୟିତ୍ୱ ଗାନ୍ଧୀ ପରିବାର ବାହାରକୁ ଯିବ ନାହିଁ । ଏବେ ସୋନିଆ ଓ ପରେ ରାହୁଲଙ୍କ ନେତୃତ୍ୱରେ ହିଁ ପରିଚାଳତ ହେବ କଂଗ୍ରେସ ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଦଳ ଏବେ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାକୁ ଏକ କରି ରଖିବାକୁ ହେଲେ ଗାନ୍ଧୀ ପରିବାର ହିଁ ଭରସା ।